କେନ୍ଦ୍ରାପଡ଼ା, ୬ା୩ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତର ବବକରପୁର ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ଘଟଣା ସମଗ୍ର ଜିଲ୍ଲା କେବଳ ନୁହେଁ ସାରା ରାଜ୍ୟରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି । କାରଣ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ପୂର୍ବରୁ ସୁପାରୀ କିଲର(ଭଡ଼ାଟିଆ ହତ୍ୟାକାରୀ)କୁ କେବେ କେନ୍ଦ୍ରାପଡ଼ାରେ ବ୍ୟବହାର କରାଯାଇ ନ ଥିଲା । କେନ୍ଦ୍ରାପଡ଼ାରେ ହାଇଦରଙ୍କ ଭଳି ବହୁ ଚର୍ଚ୍ଚିତ ସୁପାରୀ କିଲର ଥିଲେ । କିନ୍ତୁ ତାଙ୍କୁ କେବେ କେହି ପ୍ରେମ ବ୍ୟାପରରେ ଲଗାଇ ନ ଥିଲେ । କିନ୍ତୁ ମହାକାଳପଡ଼ାରେ ପ୍ରେମ ବ୍ୟାପାରକୁ ନେଇ ସୁପାରୀ କିଲର ବ୍ୟବହାର କରିବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୋଲିସ ନିଶ୍ଚିତ ହୋଇଛି ଯେ ଅର୍ଥ କିମ୍ବା ଅନ୍ୟ କିଛି ହାସଲ କରିବାକୁ ସୁପାରୀ କିଲରମାନେ ଯେକୌଣସି ବ୍ୟାପାରରେ ନିଜକୁ ସଂପୃକ୍ତ କରିପାରିବେ । ତେଣୁ ଏବେ କେବଳ ବଡ଼ ଅପରାଧୀ ନୁହେଁ ଛୋଟ ଅପରାଧୀଙ୍କ ଉପରେ ମଧ୍ୟ ପୋଲିସ କଡ଼ା ନଜର ରଖିବା ଆରମ୍ଭ କରି ଦେଇଛି । ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼କରଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ରବିବାର ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁର ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ । ଏହି ଦଳରେ ଦକ୍ଷ ପୋଲିସ ଅଧିକାରୀ କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ପାଣ୍ଡେ ଅଛନ୍ତି । ଅପରାଧୀଦ୍ୱୟ ଏବେ ପୋଲିସ ହେପାଜତରେ ଅଛନ୍ତି । ତେଣୁ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଏସ୍ଡିପିଓ ଅପରାଧୀ ଦ୍ୱୟଙ୍କୁ ଜେରା କରୁଛନ୍ତି । ଗୁଳି କରିବା ପାଇଁ ସେମାନଙ୍କୁ କେତେ ଟଙ୍କାରେ ଡିଲ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ କେତେ ଟଙ୍କା ଦିଆଯାଇଥିଲା । କିଏ ଏହି ଅପରାଧୀ ଦ୍ୱୟଙ୍କୁ ହତ୍ୟାକାଣ୍ଡ ଭିଆଇବା ପାଇଁ ନିୟୋଜିତ କରିଥିଲା । ହତ୍ୟାକାରୀ ବନ୍ଧୁକ କେଉଁଠୁ ଆଣିଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ସୁପାରୀ ଦେଇଥିବା ବ୍ୟକ୍ତି ଅପରାଧୀଙ୍କୁ ଦେଇଥିଲା ନା ଅପରାଧୀ ନିଜେ ବନ୍ଧୁକ ଯୋଗାଡ଼ କରିଥିଲେ ତାହାକୁ ନେଇ ଏସ୍ପି ତନାଘନା କରିଛନ୍ତି । ଅପରପକ୍ଷରେ ଯେଉଁ ଯୁବତୀଙ୍କୁ ମୃତ ଅରବିନ୍ଦ ମିଶ୍ରଙ୍କ ପୁଅ ବିବାହ କରିଥିଲେ ସେ ସୁପାରୀ କିଲର ଲଗାଇ ଏହି କାଣ୍ଡ ଭିଆଇଥିବେ ବୋଲି ଯେଉଁ ସନ୍ଦେହ କରାଯାଉଥିଲା ସେଭଳି ସନ୍ଦେହରେ ପୂର୍ଣ୍ଣଚ୍ଛେଦ ପଡିଛି ।
ସୁପାରୀ ଦେଇଥିବା ବ୍ୟକ୍ତି ଯାଜପୁରର ବୋଲି ସନ୍ଦେହ
ଶୁଭକେଶ ଯାଜପୁରରେ ଏକ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଦୁଇଜଣ ଯୁବତୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିବା ସନ୍ଦେହ କରାଯାଉଛି । ହେଲେ ସେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ଏହି କାରଣରୁ ତାଙ୍କ ପତ୍ନୀ ଗତ ୮ ମାସ ହେବ ତାଙ୍କୁ ଛାଡି ଭୁବନେଶ୍ୱର ପଳାଇଥିଲେ । ପୂର୍ବତନ ପ୍ରେମିକା ଚାହୁଁଥିଲେ ଶୁଭକେଶ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ ତାଙ୍କୁ ବିବାହ କରୁ । ହେଲେ ଶୁଭକେଶଙ୍କ ପରିବାର ଲୋକେ ଏଥିରେ ରାଜି ହୋଇ ନ ଥିଲେ । ତେଣୁ ପୂର୍ବତନ ପ୍ରେମିକା ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ପୋଲିସ ସନ୍ଦେହ କରିଛି । ସଂପୃକ୍ତ ଯୁବତୀଙ୍କୁ ପୋଲିସ ଯାଜପୁରରୁ ଆଣି ପଚରାଉଚରା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
ଅପରାଧୀ ଆଣିଥିଲେ ୩ ବନ୍ଧୁକ
ସୁପାରୀ କିଲରମାନେ ଶୁଭକେଶଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ତେଣୁ ସେମାନେ ୩ଟି ଗୁଳି ଭର୍ତ୍ତି ବନ୍ଧୁକ ସାଙ୍ଗରେ ଆଣିଥିଲେ । ଦୁଇଟି ବନ୍ଧୁକରୁ ସେମାନେ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ । ହେଲେ ଆଉ ଏକ ବନ୍ଧୁକକୁ ଜଣେ ଅପରାଧୀ ଅଣ୍ଟାରେ ରଖିଥିଲେ । ପୋଲିସ ୩ଟି ଯାଜ ବନ୍ଧୁକ ଜବତ କରିଛି । କେଉଁଠାରୁ ଏହି ବନ୍ଧୁକ ଅପରାଧୀମାନେ ଆଣିଥିଲେ ସେ ନେଇ ପୋଲିସ ତନାଘନା ଚଳାଇଛି । ପୋଲିସ ଗୁଳିକାଣ୍ଡରେ ବ୍ୟବହାର ହୋଇଥିବା ୧୦ଟି ଖୋକା ଓ ୧୦ଟି ଜୀବନ୍ତ ଗୁଳି ଜବତ କରିଛି ।
ଫେବୃୟାରୀ ୮ରେ ଧମକ ସମ୍ପର୍କରେ ଥାନାରେ ହୋଇଥିଲା ଏତଲା
ଅରବିନ୍ଦ ମିଶ୍ରଙ୍କ ପୁଅ ଶୁଭକେଶଙ୍କ ମୋବାଇଲକୁ ଫେବୃୟାରୀ ୮ ତାରିଖରେ ଏକ ଧମକପୂର୍ଣ୍ଣ ଫୋନ କଲ ଆସିଥିଲା । ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ବିବାହ ନ କଲେ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ସୁପାରୀ କିଲର ଧମକ ଦେଇଥିଲେ । ଏ ନେଇ ମହାକାଳପଡ଼ା ଥାନାରେ ଏତଲା ଦିଆଯାଇଥିଲା । ହେଲେ ପୋଲିସ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲା । ପୋଲିସ ଯଦି ସେହିଦିନ ମୋବାଇଲର କଲ ରେକର୍ଡ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥାନ୍ତା ତାହା ହେଲେ ଏଭଳି ହତ୍ୟାକାଣ୍ଡ ଘଟି ନ ଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଗଠନ ହୋଇଛି ୪ଟି ପୋଲିସ ଦଳ
ଏହି ହତ୍ୟାକାଣ୍ଡ ସମ୍ପର୍କରେ ଟିକିନିକି ଖବର ଜାଣିବା ପାଇଁ ଏସ୍ପି ଶ୍ରୀ ମଡ଼କର ୪ଟି ପୋଲିସ ଟିମ ଗଠନ କରିଛନ୍ତି । ଏହି ଟିମ ଯାଜପୁରର ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରୁଛି । ଏହି ହତ୍ୟାକାଣ୍ଡରେ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ସମ୍ପକରେ ଏହି ଟିମ ତଥ୍ୟ ଆଣିବ ବୋଲି ପୋଲିସ କହିଛି । ଏହି ୪ଟି ଟିମର ନେତୃତ୍ୱ ନେଉଛନ୍ତି ଏସ୍ପି ସନ୍ଦୀପ ସମ୍ପଦ ମଡ଼କର, ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ, ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ମହାକାଳପଡା ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ ।
-Advertisement-
-Advertisement-