ମହାପ୍ରଭୁଙ୍କୁ ଲାଗି ନୂଆ ଅଳଙ୍କାର ତିଆରି ହେଉ-ଭଣ୍ଡାର ମେକାପ

ପୁରୀ,୨୪/୨ : ମହାପ୍ରଭୁ ଭଙ୍ଗା ସୁନା ଅଳଙ୍କାର ପିନ୍ଧୁଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଆଜି ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ଭଣ୍ଡାର ମେକାପ ମଧୁସୂଦନ ମେକାପ। ଶ୍ରୀ ମେକାପ କହିଛନ୍ତି, ଆଗକୁ ରଥଯାତ୍ରା। ଏଣୁ ମହାପ୍ରଭୁଙ୍କୁ ଲାଗି ଅଳଙ୍କାରର ମରାମତି ଅବା ନୂଆ ଅଳଙ୍କାର ତିଆରି ଅତ୍ୟାବଶ୍ୟକ ହୋଇପଡ଼ିଛି। ଶ୍ରୀ ମେକାପ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆରାଧ୍ୟ ଦେବତା। ଚଳନ୍ତୀ ଠାକୁର। କିନ୍ତୁ ଶ୍ରୀଜିଉଙ୍କ ଅଳଙ୍କାର ବର୍ଷ ବର୍ଷ ହେଲାଣି ଭାଙ୍ଗିଗଲାଣି। ମହଣ ମହଣ ସୁନା ଅଳଙ୍କାରର ମାଲିକ ମହାପ୍ରଭୁ କାହିଁକି ଭଙ୍ଗା ପୁରୁଣା ଜିନିଷ ଲଗାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ମହାପ୍ରଭୁଙ୍କ ଲାଗି ହେଉଥିବା ଅଳଙ୍କାର ରାଜା ମୁକୁନ୍ଦ ଦେବଙ୍କ ସମୟରେ ତିଆରି ହୋଇଥିଲା। ବର୍ତ୍ତମାନ ଶ୍ରୀଜିଉଙ୍କ ପାଇଁ ନୂଆ ସୁନା ଅଳଙ୍କାର ଆବଶ୍ୟକ ହେଉଛି। ଏବେ ମହାପ୍ରଭୁଙ୍କ ସୁନା ଅଳଙ୍କାରର ଗୋଟିଏ ସେଟ୍‌ ଅଛି। ଯଦି ସୁନାବେଶବେଳେ କୌଣସି ପରିସ୍ଥିତିରେ ବାଇଶିପାହାଚ ଅବା ଅନ୍ୟ ଜାଗାରେ ଅନ୍ୟମନସ୍କରେ ପଡ଼ି ସୁନା ଅଳଙ୍କାର ଭାଙ୍ଗିଗଲା, ତେବେ ଏହାର ବିକଳ୍ପ ଭାବେ ଠାକୁରଙ୍କୁ ଲଗାଇବାକୁ ଅନ୍ୟ କିଛି ସୁନା ଅଳଙ୍କାର ନାହିଁ। ଗତବର୍ଷ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ସୁନାର କିରୀଟ ଭାଙ୍ଗିଯାଇଥିଲା। ଏହି ଭଙ୍ଗା କିରୀଟକୁ ଶ୍ରୀଜିଉଙ୍କଠାରେ ଲାଗି କରାଯାଇଥିଲା। ଏହା ଆଜି ପର୍ଯ୍ୟନ୍ତ ମରାମତି କରାଗଲାନି। ଅନ୍ୟପଟେ ବଳଭଦ୍ରଙ୍କ ଗୋଡ଼, ୩ଟା ମୁକୁଟ, ଆଡ଼କାନି ୪ଟା, ସୁନାର ମାଳିଗୁଡ଼ିକ ସବୁ ପୁରୁଣା ହେଲାଣି। ଅନେକ ଭାଙ୍ଗିଗଲାଣି। ଏସବୁର ମରାମତି ଆବଶ୍ୟକ। ସବୁ ଅଳଙ୍କାରର ନୂଆ ସେଟ୍‌ କରାଯାଉ ବୋଲି ଶ୍ରୀ ମେକାପ କହିଛନ୍ତି।