ନୂଆଦିଲ୍ଲୀ, ୪/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବନ୍ଧୁତ୍ଵ ଓ ମୋଦୀଙ୍କ ସଫଳ କୂଟନୀତି ପୁଣି ଥରେ ଭାରତକୁ ଆଶ୍ଵସ୍ତ କରିଛି । ସମ୍ପ୍ରତି ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲୁଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ବହୁ ଭାରତୀୟ ୟୁକ୍ରେନର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଭାରତ ସରକାର ସେମାନଙ୍କୁ ସେଠାରୁ ସୁରକ୍ଷିତ ନିଷ୍କାସିତ କରିବାକୁ କଠିନ ଉଦ୍ୟମ ଜାରି ରଖିଛନ୍ତି । ଇତି ମଧ୍ୟରେ ସରକାର ବିଭିନ୍ନ ବେସାମରିକ ବିମାନ ଓ ଭାରତୀୟ ବାୟୁସେନାର ବିମାନ ଗୁଡିକୁ ନିୟୋଜିତ କରିଛନ୍ତି । ଭାରତ ସରକାରଙ୍କ ତରଫରୁ ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନର ବିଭିନ୍ନ ପଡୋଶୀ ରାଷ୍ଟ୍ର ଯାଇ ସେଠାରୁ ଫସିଥିବା ଭାରତୀୟ ମାନଙ୍କୁ ଫେରାଇଆଣିବା ନିମନ୍ତେ ଉଦ୍ୟମ ଜାରିରଖିଛନ୍ତି ।
ଇତିମଧ୍ୟରେ ଭାରତୀୟ ମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୟୁକ୍ରେନରେ ଅଟକି ରହିଥିବା ଭାରତୀୟଙ୍କୁ ରୁଷ ଦେଇ ଭାରତ ପ୍ରତ୍ୟାବର୍ତ୍ତନ ନିମନ୍ତେ ମୋଦୀ ପୁଟିନଙ୍କ ସହଯୋଗ କାମନା କରିଥିଲେ । ଫଳ ସ୍ୱରୂପ ରୁଷ ସେନା ଭାରତୀୟ ମାନଙ୍କ ନିମନ୍ତେ ଏକ ସୁରକ୍ଷିତ ମାର୍ଗ (କରିଡୋର) ପ୍ରଦାନ କରିଥିଲେ ଓ ଖାରକିଭ ଅଞ୍ଚଳରେ ସାମୟିକ ଯୁଦ୍ଧ ବିରତି କରାଯାଇଥିଲା । ଭାରତୀୟ ମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ରୁଷ ପକ୍ଷରୁ ଶତାଧିକ ବସ ର ବ୍ୟବସ୍ଥା କରାଯାଇଥିଲା ।