ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌  କଣ୍ଠରେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ଵର, ୦୧/୦୪ : ଉତ୍କଳ ଦିବସରେ ଉନ୍ମୋଚିତ ହେଲା ରାଜ୍ୟପାଳ ଗାଇଥିବା ବନ୍ଦେ ଉତ୍କଳ ଜନନୀ ଗୀତ । ‘ଇତିହାସ ତୋର ତ୍ୟାଗ ବୀରତ୍ୱର…ହିଂସା ତରବାରୀ ନୁଆଁଇଛି ଶିର… ଜନନୀ ଜନନୀ ଜନନୀ… ବନ୍ଦେ ଉତ୍କଳ ଜନନୀ’। ଏହି ନୂଆ ଦେଶାତ୍ମବୋଧକ ଗୀତରେ ରହିଛି ମାଟି ମା’ର ଗାଥା । ଗୀତରେ ଗୀତରେ ରହିଛି ଓଡ଼ିଶାର ବରପୁତ୍ରମାନଙ୍କର ତ୍ୟାଗ ଓ ତିତିକ୍ଷାର କାହାଣୀ । ଉତ୍କଳ ଦିବସ ଉପଲକ୍ଷେ ପ୍ରସ୍ତୁତ ଏହି ଦେଶାତ୍ମବୋଧକ ଗୀତରେ କଣ୍ଠଦାନ କରିଛନ୍ତି ଓଡି଼ଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ରାଜଭବନ ପରିସର ଆୟୋଜିତ ସ୍ଵତନ୍ତ୍ର ଉତ୍ସବବରେ ଏହାକୁ ଉନ୍ମୋଚିତ କରାଯାଇଛି । ଏହି ଉତ୍ସବରେ ଓଡ଼ିଶା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରସିଆ, ଆନ୍ଧ୍ର ରାଜ୍ୟପାଳ ବିଶ୍ଵ ଭୂଷଣ ହରିଚନ୍ଦନ ଏବଂ ଅନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଗୀତର ରେକର୍ଡିଂ ଆଜି ଲିଙ୍କରୋଡ୍‌ ସ୍ଥିତ ମିଲନ ଷ୍ଟୁଡିଓରେ ଶେଷ ହୋଇଛି । ବିଶିଷ୍ଟ ଗୀତିକାର ଓ ସଂଳାପକାର ବିଜୟ ମଲ୍ଲଙ୍କ ଦ୍ୱାରା ରଚିତ ଗୀତର ରେକର୍ଡିଂରେ ରାଜ୍ୟପାଳ ଉପସ୍ଥିତ ରହି ଗୀତର କିଛି ପଦ ଗାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ମୃତିକୁ ତାଜା କରିବା ପାଇଁ ଗୀତଟି ପ୍ରସ୍ତୁତ କରାଯାଇଛି । ରାଜ୍ୟପାଳଙ୍କ ସହ ଏହି ଗୀତରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଦିପ୍ତୀରେଖା ପାଢୀ କଣ୍ଠଦାନ କରିଛନ୍ତି । ସେମାନଙ୍କ ସହିତ ଗୀତର କୋରସ୍‌ରେ ‘ବନ୍ଦେ ଉତ୍କଳ ଜନନୀ’ ଘୋଷା ପଦକୁ ଗାଇଛନ୍ତି ଡିଏଭି ସ୍କୁଲ୍‌ର ଛାତ୍ରଛାତ୍ରୀମାନେ । ସଙ୍ଗୀତ ପ୍ରତି ବିଶେଷ ରୁଚି ରଖୁଥିବା ରାଜ୍ୟପାଳଙ୍କ କଣ୍ଠରେ ଏହି ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବ।