ରୁଷିଆ ସହ ଆଲୋଚନା କରିବାକୁ ଜେଲେନ୍‌ସ୍କି ପ୍ରସ୍ତୁତ

କିଏଭ୍‌,୨୮/୨ : ୟୁକ୍ରେନ ଉପରେ ଲଗାତାର ଭାବେ  ପଞ୍ଚମ ଦିନ ପାଇଁ ରୁଷର ଆକ୍ରମଣ ଜାରି ରହିଛି । ରାଜଧାନୀ କିଏଭ ଦଖଲ କରିବା ଦିଗରେ ରୁଷ ସୈନ୍ୟ ଅଗ୍ରସର ହେବାରେ ଲାଗିଛନ୍ତି । ରୁଷର ବାୟୁସେନା ପକ୍ଷରୁ ମିସାଇଲ ଓ ରକେଟ ଆକ୍ରମଣ ଜାରି ରହିଛି । ଏହା ପୂର୍ବରୁ ରୁଷ ସୈନିକମାନେ ଖାରକିଭ୍‌ ଦାଖଲ କରିଥିଲେ । ସେଠାରେ ୟୁକ୍ରେନ ସେନାର କଡା ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।  ରୁଷିଆ ପରମାଣୁ ଡେଟରେଣ୍ଟ ଫୋର୍ସକୁ ହାଇ ଆଲର୍ଟ ରହିବାକୁ ଆଦେଶ ଦେଇଛି । ବୁଧବାର ‘ନାଟୋ’ର ବୈଠକ ହେବ, ଯେଉଁଥିରେ କି ୩୫ଟି ଦେଶର ପ୍ରତିନିଧି ସାମିଲ ରହିବେ । ରୁଷିଆରେ ଏହି ପଦକ୍ଷେପକୁ ଆମେରିକା ଅସ୍ୱୀକାର କରିଛି । ଆମେରିକା କହିଛି ଯେ, ୟୁକ୍ରେନରେ ରୁଷିଆର ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିବାକୁ ଯଥା ସମ୍ଭବ ଉଦ୍ୟମ କରିବ । ଏହାରି ମଧ୍ୟରେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ କଥାବାର୍ତ୍ତା ହେବା ପାଇଁ ପ୍ରୟାସ ଜୋରଦାର ଚାଲିଛି । ରୁଷିଆ ଓ ୟୁକ୍ରେନ୍‌ର ପ୍ରତିନିଧି ଆଲୋଚନା ପାଇଁ ନିର୍ଦ୍ଧାରିତ ସ୍ଥାନକୁ ଯାଉଛନ୍ତି । ମାତ୍ର ଏବେବି ଆଲୋଚନା ଆରମ୍ଭ ହୋଇପାରି ନାହିଁ । ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ରବିବାର ବେଲାରୁଷର ରାଷ୍ଟ୍ରପତିଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଜେଲେନ୍‌ସ୍କି ବେଲାରୁଷର ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ସଂପର୍କରେ କହିଛନ୍ତି ଯେ, ସେମାନେ ବିନା ସର୍ତ୍ତରେ ରୁଷିଆ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ । କିନ୍ତୁ ଏହି କଥାବାର୍ତ୍ତା ବେଲାରୁଷ ଠାରେ ନ ହୋଇ ସୀମାରେ ହେଲେ ଭଲ । ସେପେଟ ଆଣବିକ ପ୍ରତିରୋଧ ବାହିନୀକୁ ସଜାଗ ରହିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶ ମିଳିବା ପରେ ରୁଷର ଆଣବିକ ପ୍ରତିରୋଧ ବାହିନୀ ଯେକୌଣସି ପ୍ରକାର ମୁକାବିଲା ଲାଗି ପ୍ରସ୍ତୁତ ରହିଛି । ଆଜି ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ପୁଟିନ କହିଥିଲେ କି ପାଶ୍ଚାତ୍ୟ ଦେଶମାନେ ତାଙ୍କ ଉପରେ ଓ ରୁଷ ବିରୋଧରେ କଟକଣା ଲଗାଇଛନ୍ତି । ଏଥିସହିତ ପାଶ୍ଚାତ୍ୟ ରାଷ୍ଟ୍ରର ନେତାମାନେ ପରୋକ୍ଷ ଧମକ ମଧ୍ୟ ଦେଉଛନ୍ତି । ତେଣୁ କେତେବେଳେ କ’ଣ ଘଟିବ ତାହା କହିହେବ ନାହିଁ । ସେଥିପାଇଁ ଆଣବିକ ପ୍ରତିରୋଧ ବାହିନୀକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବାକୁ ସେ ବୈଠକରେ ଉପସ୍ଥିତ ଥିବା ପ୍ରତିରକ୍ଷା ମନ୍ତ୍ରୀ ଓ ସେନାମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁଟିନଙ୍କ ଏହି ନିର୍ଦ୍ଦେଶରୁ ସଙ୍କେତ ମିଳୁଛି କି ୟୁକ୍ରେନ ଯୁଦ୍ଧ ପରବର୍ତ୍ତୀ ସମୟରେ ହୁଏତ ଆଣବିକ ଯୁଦ୍ଧର ରୂପ ନେଇପାରେ । ଦୁଇଦିନ ତଳେ ପୁଟିନ ଧମକ ଦେଇଥିଲେ କି ଯଦି ଏହି ଯୁଦ୍ଧରେ ପାଶ୍ଚତ୍ୟ ରାଷ୍ଟ୍ରମାନେ ହସ୍ତକ୍ଷେପ କରିବେ ତେବେ ପରିଣତି ଭୟଙ୍କର ହେବ ।