ନୂଆଦିଲ୍ଲୀ ,୨୬/୦୨: ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ୟୁକ୍ରେନ ପୁରା ଦମରେ ଋଷର ସାମ୍ନା କରୁଛି । ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ଏକ ବଡ ବୟାନ ଦେଇଛନ୍ତି । ସେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି । ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଖୁବ ଶୀଘ୍ର କିଭ୍କୁ ଅଧିକୃତ କରିପାରେ। ଗତ ୩ ଦିନ ହେବ ରୁଷ ସେନା ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ସହ ୟୁକ୍ରେନକୁ ପଛକୁ ହଟାଇବା ପାଇଁ ବାଧ୍ୟ କରୁଛି। ଏଯାଏଁ ରାଜଧାନୀ କିଭ୍ ରୁଷ ସେନା ଦ୍ୱାରା ଅଧିକୃତ ହୋଇପାରି ନାହିଁ। ମାତ୍ର ପରିସ୍ଥିତିକୁ ଦେଖି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଚିନ୍ତା ବ୍ୟକ୍ତ କରି କହିଛନ୍ତି, କିଭ୍ ରେ ରୁଷ ସେନା ବିପଦ ଜାରି ରହିଛି। ଆଜି ରାତି ସେମାନଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ,ମାତ୍ର ଆମେ ସାମ୍ନା କରିବୁ ବୋଲି ସେ କହିଛନ୍ତି। ଜେଲେନସ୍କିଙ୍କୁ ଆମେରିକା ପକ୍ଷରୁ ୟୁକ୍ରେନ ଛାଡିବାର ପ୍ରସ୍ତାବ ମିଳିଥିଲା ବୋଲି ସୂଚନା ମିଳିଛି। ମାତ୍ର ସେ ଏଥିରେ ରାଜି ହୋଇନଥିଲେ। ୟୁକ୍ରେନ ରାଜଧାନୀ କିଭ୍ ରେ ରୁଷ ସେନା ବହୁ ଭିତରକୁ ପ୍ରବେଶ କରିସାରିଛନ୍ତି। ଦୁଇ ସେନାଙ୍କ ମଧ୍ୟରେ ଯୁଦ୍ଧ କିଭ୍ ର ସଡକରେ ପହଞ୍ଚି ସାରିଛି। ଏହା ସହ ୟୁକ୍ରେନ ଅଧିକାରୀ ଲୋକଙ୍କୁ ଅପିଲ୍ କରିଛନ୍ତି, ରାସ୍ତାକୁ ବାହାରନ୍ତୁ ନାହିଁ। ଘରେ ହିଁ ରୁହନ୍ତୁ। ନାଗରିକଙ୍କୁ ଝରକା କିମ୍ବା ବାଲକୋନିକୁ ଯିବାକୁ ମଧ୍ୟ ମନା କରିଛନ୍ତି। ଏହାଦ୍ୱାରା ସେମାନେ ଗୁଳି କିମ୍ବା ଆକ୍ରମଣର ଶିକାର ହେବାରୁ ରକ୍ଷା ପାଇବେ।ସୂଚନାଯୋଗ୍ୟ, ଆମେରିକା ଜେଲେନସ୍କିଙ୍କୁ ଦେଶ ଛାଡିଦେବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସ୍ପଷ୍ଟ ଭାବେ ଏହାକୁ ଖାରଜ କରିଦେଇଛନ୍ତି ଜେଲେନସ୍କି । ତାଙ୍କ କହିବାନୁସାରେ, ସେ ଡରି ପଳାଇବା ଲୋକ ନୁହେଁ । ଋଷ ସେନା ରାଜଧାନୀ କିଭକୁ କବଜା କରିନି । ଯଦି ସାହାଯ୍ୟ କରିବାକୁ ଚାହୁଁଛ ତେବେ ଗୁଳିଗୋଳା ଦିଅ ବୋଲି ସେ ଜୋ ବାଇଡେନଙ୍କୁ କହିଥିଲେ ।