ପୁରୀ , ୧୯।୨ – ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦର୍ଶନ କରିଛନ୍ତି । ପୁରୀ ରାଜଭବନରୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସେ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରାଷ୍ଟ୍ରପତିଙ୍କ ସହ ଅଛନ୍ତି ରାଜ୍ୟପାଳ ପ୍ରଫେସନ ଗଣେଶୀ ଲାଲ । ଶ୍ରୀଜିଉଙ୍କ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କଡ଼ା ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ।ପ୍ରଥମେ ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରାଯାଇଥିଲା। ଗର୍ଭଗୃହ ଭିତରକୁ ଯାଇ ଶ୍ରୀ କୋବିନ୍ଦ ଦାରୁବ୍ରହ୍ମଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ମୁକ୍ତିମଣ୍ଡପ, ବିମଳା ମନ୍ଦିର ଏବଂ ମହାଲକ୍ଷ୍ମୀ ମନ୍ଦିର ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ନୀଳଚକ୍ରରେ ରାଷ୍ଟ୍ରପତିଙ୍କ ଶୁଭ ମନାସୀ ପତିତପାବନ ବାନା ବନ୍ଧା ହୋଇଛି। ମନ୍ଦିର ଭିତରେ ଶ୍ରୀ କୋବିନ୍ଦ ୪୫ମିନିଟ ରହିଥିଲେ । ତେବେ ସଂଧ୍ୟା ୫ଟା ୪୫ରେ ସିଂହଦ୍ବାର ଦେଇ ବାହାରି ରାଜଭବନ ଯିବେ । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ରାଜଭବନରେ ରାତ୍ରୀ ଯାପନ କରିବା ପାଇଁ ବ୍ୟବସ୍ଥା ହୋଇଛି।