ପୁରୀ ୦୩।୦୪: । ଶ୍ରୀମନ୍ଦିର ରୋଷ ଘର ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୩ଶହଟି ଚୁଲି ଭାଙ୍ଗି ଦେଲେ ଦୁର୍ବୃତ୍ତ। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ଚାବି ପଡ଼ି ରହିଥିବା ଉତ୍ତରପାର୍ଶ୍ବ ଚୁଲି , ଏମାର ଚୁଲି, ଓଡ଼ିଆ ଚୁଲି ସୁରକ୍ଷିତ ରହିଛି। ଅନ୍ୟ ସମସ୍ତ ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ରବିବାର ଦିନ ଭୋର ସମୟରେ ଚୁଲି ଗୁଡିକ ଭାଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ରୋଷ ଘରେ ଅବସ୍ଥାପିତ ଥିବା ମୋଟ ୭୫୨ ଚୁଲା ମଧ୍ୟରୁ ୩ ଶହରୁ ଅଧିକ ଚୁଲା ଭଙ୍ଗାଯାଇଥିବା ସୁଆର ମହାସୁଆର ସଭାପତି ନାରାୟଣ ମହାସୁଆରଙ୍କ ସୂଚନା । ସେପଟେ ଏହାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ତଦନ୍ତ ପାଇଁ ଶ୍ରୀମନ୍ଦିରରେ ପୁରୀ ଜିଲ୍ଲାପାଳ ଓ ଏସ୍ ପି କନୱର ବିଶାଳ ସିଂ ଗସ୍ତ କରିଛନ୍ତି।ଏହି ଅଭାବନୀୟ ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୪ ଜଣଙ୍କୁ ଜେରା କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଧୋପଖାଳ, ପାଇକ, ଦ୍ୱାରପାଳିଆ ଓ ଅଙ୍ଗାରିଆ ସେବାୟତଙ୍କୁ ଜେରା କରୁଛି ତଦନ୍ତକାରୀ ଟିମ୍ ।ସେପଟେ ଚୁଲି ଭଙ୍ଗା ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ମନ୍ଦିର ନୀତି ପ୍ରଶାସକ ଓ ଅତିରିକ୍ତ ଏସ.ପି (ମନ୍ଦିର ସିକ୍ୟୁରିଟୀ)ଙ୍କ ଦ୍ବାରା ଯୁଗ୍ମ ତଦନ୍ତ ଆରମ୍ଭ ହୋଇଛି । ଚୁଲି ଭଙ୍ଗା ହୋଇଥିବା ଯୋଗୁଁ ଠାକୁରଙ୍କ ମହାପ୍ରସାଦ କିଭଳି ଲାଗି ହେବ ସେନେଇ ବ୍ୟବସ୍ଥା କରାଯାଇଛି । ଏହି ଘଟଣା ପାଇଁ ସାଧାରଣ ଭକ୍ତଙ୍କ ଲାଗି ପ୍ରସ୍ତୁତ କରାଯାଉଥିବା ଅବଢ଼ାର ପରିମାଣ କମ୍ କରାଯାଇଛି । ଯୁଗ୍ମ ତଦନ୍ତ କମିଟି ରୋଷ ଘର ଦାୟିତ୍ବରେ ଥିବା ଲୋକଙ୍କୁ ପଚରାଉଚରା କରିଛି । ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
-Advertisement-
-Advertisement-