ସାହିତ୍ୟିକ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୬/୦୨:   ସାହିତ୍ୟିକ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଜି  ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସେ ଗତ କିଛିଦିନ ଧରି ଅସୁସ୍ଥତା ହେତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ରାଜ୍ୟର ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା ପରିସରରେ ଶୋକର ଛାୟା ଖେଳିଯାଇଛି। ଡ଼. ହରପ୍ରସାଦ ପରିଛା ପଟ୍ଟନାୟକଏକାଧାରରେ ଜଣେ ପ୍ରବୀଣ କବି, ଅନୁବାଦକ, ଅଧ୍ୟାପକ, ପ୍ରଶାସକ ତଥା ସମ୍ବାଦପତ୍ର ସଂପାଦକ।

୧୯୫୩ ମସିହାରେ ଜନ୍ମିତ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଅବସର ପରେ ଦୈନିକ ‘ସର୍ବସାଧାରଣ’ର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଡ.ପରିଚ୍ଛା ପଟ୍ଟନାୟକ ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶକ ସଂସ୍ଥାର ନିର୍ଦ୍ଦେଶକ ଭାବେ ୨୦୧୧ରେ ଅବସର ଗ୍ରହଣ କରିଥିଲେ। ଏ ଯାବତ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ତା’ଙ୍କର ପ୍ରାୟ ୨୦ ଟି ପୁସ୍ତକ ପ୍ରକାଶିତ। ସେ ‘ଓଡିଶା ସାହିତ୍ୟ ଏକାଡେମୀ’ର ସଂପାଦକ ତଥା ଓଡିଶା ସରକାରଙ୍କ ‘ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ର ନିର୍ଦ୍ଦେଶକ ପଦରେ ମଧ୍ୟ ଅବସ୍ଥାପିତ ଥିଲେ। ୨୦୧୨ ମସିହାରେ ସେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ ଏବଂ ୨୦୧୮ ମସିହାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତାଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’ରେ ଭୂଷିତ କରାଯାଇଥିଲା