ୟୁକ୍ରେନ ସଙ୍କଟ ଉପରେ ଭୋଟିଙ୍ଗ:ଭୋଟଦାନରୁ ପୁଣି ବିରତ ରହିଲା ଭାରତ

ନୂଆଦିଲ୍ଲୀ ୦୪।୦୩: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ପୁଣି ଅନୁଷ୍ଠିତ ହୋଇଛି ଭୋଟିଂ କାର୍ଯ୍ୟକ୍ରମ । ମିଳିତ ଜାତିସଂଘର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ରୁଷ ବିରୋଧରେ ଗଲାନି ଭାରତ।  ପ୍ରତିଥର ପରି ଏଥର ମଧ୍ୟ ମତଦାନରୁ ଦୂରେଇ ରହିଲା ଭାରତ। ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ଯାଞ୍ଚ ପ୍ରସ୍ତାବକୁ ନେଇ ଜାତିସଂଘରେ ହୋଇଥିବା ମତଦାନରୁ ଭାରତ ଓହରି ଯାଇଛି। ତେବେ ୟୁଏନଏଚଆରସି ୟୁକ୍ରେନ ବିରୋଧରେ ରୁଷର ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ଵତନ୍ତ୍ର ଅନ୍ତର୍ଜାତୀୟ ଯାଞ୍ଚ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ମିଳିତ ଜାତିସଂଘର ୪୭ ସଦସ୍ୟ ବିଶିଷ୍ଟ ଏହି ପରିଷଦରେ ରୁଷ ବିରୋଧରେ ଶୁକ୍ରବାର ମତଦାନ ହୋଇଛି। ପ୍ରସ୍ତାବ ସପକ୍ଷରେ ୩୨ ଭୋଟ୍ ପଡିଥିବା ବେଳେ ଭାରତ, ଚୀନ, ପାକିସ୍ତାନ, ସୁଦାନ ଏବଂ ଭେନେଜୁଏଲା ସହିତ ୧୩ ଦେଶ ମତଦାନରୁ ଦୂରେଇ ରହିଥିଲେ।ଚଳିତ ସପ୍ତାହ ଆରମ୍ଭରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ରୁଷ ବିରୋଧୀ ନିନ୍ଦା ପ୍ରସ୍ତାବ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହୋଇଥିଲା । ରୁଷ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ତୁରନ୍ତ ୟୁକ୍ରେନରୁ ବାହାରି ଯିବାକୁ ଜାତିସଂଘ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସ୍ତାବ ସପକ୍ଷରେ ୧୪୧ଟି  ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୫ଟି ଭୋଟ ପଡ଼ିଥିଲା ଓ ଭାରତ ସମେତ ୩୫ଟି ଦେଶ ଭୋଟଦାନରୁ ବିରତ ରହିଥିଲେ ।

-Advertisement-
-Advertisement-