ଭୁବନେଶ୍ୱର,୧୭/୦୨: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ସନ୍ଧ୍ୟାରୁ ବଦଳିବ ପାଗ। ୨୦, ୨୧ ଓ ୨୨ରେ ହାଲୁକା ବର୍ଷା ହୋଇପାରେ । ୨୩ରୁ ବଢ଼ିପାରେ ବର୍ଷା । ୨୫ ଯାଏ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ୧୦ ମିଲିମିଟରରୁ କମ୍ ବର୍ଷା ହୋଇପାରେ । ୨୨ ଓ ୨୩ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇପାରେ । ଖୋର୍ଦ୍ଧା ଓ ସଂଲଗ୍ନ ଜିଲ୍ଲାରେ ବୁନ୍ଦା ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ସେହିଭଳି ୨୩ ରାତିରୁ ରାଜ୍ୟରେ ବର୍ଷା ବଢ଼ିବ । ୨୪ ଓ ୨୫ରେ ଅଧିକ ଅଞ୍ଚଳରେ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ହାରାହାରି ୩୫ମିମି ବର୍ଷା ହେବ । ଗଞ୍ଜାମରୁ ଜଗତସିଂହପୁର ପର୍ଯ୍ୟନ୍ତ ଅଧିକ ବର୍ଷା ରହିଛି । ଏହା ସମେତ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଓ କେନ୍ଦୁଝରରେ ହାହାହାରି ୨୫ରୁ ୩୦ମିଲିମିଟର ବର୍ଷା ହୋଇପାରେ । ତେବେ ୨୦ ତାରିଖ ବେଳକୁ ସମ୍ଭାବ୍ୟ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।