୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬/୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୁରଭ୍ଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ । ଏହି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଆଗକୁ ଅସମ୍ଭାଳ ତାତି ଅନୁଭୂତ ହେବ । ୧୨ରୁ ୧୪ ତାରିଖ ଯାଏ ଏଠାରେ ତାପମାତ୍ରା ଆହୁରି ବଢ଼ିବ । ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ଏହି ତିନି ଦିନ ତାତି ୪୪ ଡିଗ୍ରୀ ଟପିପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି । ଉପକୂଳ ଓଡ଼ିଶାରେ ୧୪ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ୯, ୧୦ ଓ ୧୧ ତାରିଖରେ ତାପମାତ୍ରା ପୁଣି ୧ ଡିଗ୍ରୀ ଯାଏ କମିବ । ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁ ବାୟୁର ଦିଗ ପରିବର୍ତ୍ତନ ହେବ । ଫଳରେ ଉପକୂଳରେ ତାପମାତ୍ରା କମ୍‌ ରହିବ ବୋଲି ସେ କହିଛନ୍ତି । ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ତାତି ଅଧିକ ରହିବ । କିନ୍ତୁ ୧୨ରୁ ୧୪ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ସେ ପୂର୍ବାନୁମାନ କରିଛନ୍ତି ।

-Advertisement-
-Advertisement-