ନୂଆଦିଲ୍ଲୀ ୨୫/ ୦୨: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି ।ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି ରଖିଛନ୍ତି ଋଷୀ ସୈନ୍ୟ । ଏହାରି ମଧ୍ୟରେ ଋଷ ଘରେ ପଶି ଆକ୍ରମଣ କରିଛି ୟୁକ୍ରେନ୍ ସେନା । ଋଷର ରୋସ୍ତୋଗ୍ ସହରରେ ମିସାଇଲ ମାଡ କରିଛି ୟୁକ୍ରେନ୍ । ଏହାରି ମଧ୍ୟରେ ରୁଷର ସେନା ୟୁକ୍ରେନର ରାଜଧାନି କିଭରେ ପ୍ରବେଶ କରିଛନ୍ତି । ଏନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ଶତ୍ରୁମାନେ କିଭରେ ପ୍ରବେଶ କରିଥିବା ନେଇ ସେ ଟ୍ୱିଟ୍ କରି କହିଛନ୍ତି । ଏଥିପାଇଁ ନାଗରିକମାନଙ୍କୁ ସାବଧାନ୍ ରହିବା ଓ କର୍ଫ୍ୟୁ ନିୟମର ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଅନ୍ୟୃପଟେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସ୍ଥାନରେ ମିସାଇଲ ମାଡ କରିଚାଲିଛି ଋଷ । ଏପରିକି ୟୁକ୍ରେନର ପରମାଣୁ ଘାଟିକୁ ମଧ୍ୟ ନିଜ କବଜାକୁ ନେଇସାରିଛି ଋଷ ସେନା । ଗତକାଲି ଠାରୁ ଯୁଦ୍ଧ ଆରମ୍ଭ ହୋଇସାରିଥିଲେ ସୁଦ୍ଧା ଚୁପ୍ ବସିଛି ନାଟୋ । ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି ନାଟୋ । ଭର୍ଚୁଆଲ ବୈଠକରେ ଆମେରିକା, ଇଂଲଣ୍ଡ ସମେତ ବଡବଡ ଦେଶ ଯୋଗ ଦେବେ । ଏହି ବୈଠକରେ ୟୁକ୍ରେନ-ଋଷ ଯୁଦ୍ଧ ନେଇ ନିଷ୍ପତ୍ତି ନିଆଯିବ ।ସେପଟେ ୟୁକ୍ରେନ ମଧ୍ୟ ଋଷକୁ ଶେଷ ଚେତାବନୀ ଦେଇଛି । ଦେଶ ଭିତରେ ପଶି ଆକ୍ରମଣର ପରିଣାମ ଋଷ ଭୟଙ୍କର ଭାବେ ଭୋଗିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି । ଅନ୍ୟପଟେ ଋଷର ଆଭିମୁଖ୍ୟ ଆଗକୁ କିଭଳି ରହିବ ତାହା ଉପରେ ମଧ୍ୟ ବିଶ୍ବବାସୀଙ୍କ ନଜର ରହିଛି । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନା ଋଷ ପଛଟୁ ହଟିବାର ସମ୍ଭାବନା ଖୁବ୍ କମ । ଏପଟେ ଋଷ ସହ ପୁରା ଦମରେ ଲଢୁଛି ୟୁକ୍ରେନ୍ ।
-Advertisement-
-Advertisement-