ଧର୍ମଶାଳା,୨୬/୦୨: ପ୍ରଥମ ମ୍ୟାଚ୍କୁ ୬୨ରନ୍ରେ ଜିତିବା ପରେ ରୋହିତ ବାହିନୀ ଏବେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଦଳ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆର ବିଜୟଧାରାରେ ବ୍ରେକ୍ ଲଗାଇବାକୁ ପ୍ରୟାସ କରିବ । ଭାରତୀୟ ଦଳ କ୍ରମାନ୍ୱୟରେ ୧୦ଟି ମ୍ୟାଚ୍ରେ ଅପରାଜେୟ ରହିଛି । ଆଜି ମ୍ୟାଚ୍ରେ ଦଳ ଆଧିପତ୍ୟ ଜାରି ରଖିବା ନେଇ ପ୍ରସ୍ତୁତ ରହିଛି । ମ୍ୟାଚ୍ ରାତି ୭.୦୦ରୁ ଆରମ୍ଭ ହେବ । ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନପାରେ । ପ୍ରଥମ ମ୍ୟାଚ୍ରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଗତ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ନିରାଶ କରିଥିବା ଯୁବ ଓପନର ଈଶାନ କିଷନ ପ୍ରଥମ ମ୍ୟାଚ୍ରେ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମକୁ ଫେରିଥିବାବେଳେ ୩ନଂ ସ୍ଥାନରେ ଶ୍ରେୟାସ ଆୟର ଅପରାଜିତ ୫୭ରନ୍ କରିଥିଲେ । ସଞ୍ଜୁ ସାମସନ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳିନଥିଲା । ସେ ନିଜ ବ୍ୟାଟିଂ ଦକ୍ଷତା ଦେଖାଇବାକୁ ଅପେକ୍ଷା କରିଛନ୍ତି । ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ରେ ଦୁର୍ବଳ ଶ୍ରୀଲଙ୍କା ଦଳ ବିପକ୍ଷରେ ଭାରତୀୟ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା। ଭାରତୀୟ ଦଳରେ ବୋଲର ଭାବେ ଭୁବନେଶ୍ବର କୁମାର, ବୁମାର, ହର୍ଷଲ ପଟେଲ୍, ୟୁଜବେନ୍ଦ୍ର ଚହଲ୍, ଭେଙ୍କଟେଶ ଆୟାର, ରବୀନ୍ଦ୍ର ଜାଡେଜା ଓ ହୁଡା ପ୍ରମୁଖ ରହିଥିବାରୁ ସେମାନଙ୍କୁ ମୁକାବିଲା କରିବାରେ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍ମାନ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏକମାତ୍ର ଆସାଲାଙ୍କାଙ୍କୁ ଛାଡ଼ି ଦେଲେ ଶ୍ରୀଲଙ୍କା ଦଳର ଅନ୍ୟ ବ୍ୟାଟସମ୍ୟାନ୍ମାନେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଶନିବାର ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ରେ ଭାରତୀୟ ଦଳର ବୋଲିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା କମ୍। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହେବାକୁ ହେଲେ ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍ଙ୍କୁ ନିଜ ପ୍ରଦର୍ଶନରେ ନିଶ୍ଚିତ ଭାବେ ଉନ୍ନତି ଆଣିବାକୁ ପଡ଼ିବ। ବିଶେଷ କରି ଓପନର୍ ନିଶଙ୍କା, ମିଶାରା, ଚାନ୍ଦିମାଲ, ଶନକ ପ୍ରମୁଖଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଏସବୁ ବ୍ୟାଟସମ୍ୟାନ୍ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲେ ଶ୍ରୀଲଙ୍କା ଦଳ ବଡ଼ ସ୍କୋର କରିବାରେ ବିଫଳ ହେବା ନିଶ୍ଚିତ।ଅନ୍ୟପକ୍ଷରେ ଭାରତୀୟ ବ୍ୟାଟସମ୍ୟାନ୍ ଶ୍ରେୟାସ ଆୟାର ପ୍ରଥମ ମ୍ୟାଚ୍ରେ ୫୭ ରନ୍ ସଂଗ୍ରହ କରିଥିବାରୁ ସେ ଦ୍ବିତୀୟ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂକ୍ରମର ଉପର ସ୍ଥାନରେ ସୁଯୋଗ ମିଳିବ ବୋଲି ରୋହିତ ପୂର୍ବରୁ କହି ସାରିଥିବାରୁ ପ୍ରଥମ ମ୍ୟାଚ୍ରେ ଜାଡେଜା ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୩ ରନ୍ କରି ଅପରାଜିତ ରହିଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଅଧିକ ସମୟ ବ୍ୟାଟିଂ କରିବାର ସୁଯୋଗ ପାଇବେ ବୋଲି ଆଶା ରହିଛି। ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ସଞ୍ଜୁ ସାମସନ୍ ବ୍ୟାଟିଂ କରିବାର ସୁଯୋଗ ପାଇନଥିଲେ। ଦ୍ବିତୀୟ ମ୍ୟାଚ୍ରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କା ଦଳରେ ପ୍ରମୁଖ ସ୍ପିନର ମହେଶ ଥିକ୍ସାନା ଓ ୱାନିଡୁ ହସରଙ୍ଗା ନ ଥିବାରୁ ସେମାନଙ୍କ ବୋଲିଂ ଦୁର୍ବଳ ପରିଲକ୍ଷିତ ହେଉଛି। ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହେବାକୁ ହେଲେ ଶ୍ରୀଲଙ୍କା ଦଳକୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ।
-Advertisement-
-Advertisement-