ସମ୍ବଲପୁର ,୦୭/୦୩ : ୧୯୪୪ ମସିହା ଜୁନ୍ ୬ ତାରିଖ ଦିନ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅତବିରା ବ୍ଳକ୍ ଟୁକୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା କ୍ରିଷ୍ଣା ମହାରଣାଙ୍କୁ ଏବେ ୭୮ ବର୍ଷ । ବାଲ୍ୟକାଳରୁ ବାପାଙ୍କୁ ହରାଇବା ପରେ କ୍ରିଷ୍ଣା ତାଙ୍କ ମାଆଙ୍କ ସହିତ ରେଙ୍ଗାଲି ଚାଉଲଡିପୋରେ ତାଙ୍କ ସମ୍ପର୍କିୟ କାକାଙ୍କ ଘରେ ଜୀବନ ଅତିବାହିତ କରିଥିଲେ। ରେଙ୍ଗାଲି ତାଙ୍କର କର୍ମଭୂମି। କ୍ରିଷ୍ଣା ମହାରଣା ବୈବାହିକ ଜୀବନର କିଛି ବର୍ଷ ପରେ ବିବାହ ବିଚ୍ଛେଦ ହେବାରୁ ରେଙ୍ଗାଲିରେ ଏକ ଛୋଟିଆ ଚାଉଳ ବରା, ପକୁଡି ଦୋକାନ କରି ଜୀବନ ବଞ୍ଚିବାର ସଂଗ୍ରାମ ଆରମ୍ଭ କରିଥିଲେ। ତାଙ୍କର କୌଣସି ସନ୍ତାନ ସନ୍ତତି ନହାନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବୈପ୍ଳବିକ ଚିନ୍ତାଧାରାର ମହିଳା ହୋଇଥିବାରୁ ୧୯୮୦ ମସିହାରେ ସେ ସିପିଆଇରେ ଯୋଗ ଦେଇ ଦଳ ପକ୍ଷରୁ ରେଙ୍ଗାଲି, ସମ୍ବଲପୁର, ଦିଲ୍ଲୀ, କୋଲକାତା ଆଦି ସ୍ଥାନରେ ଅନୁଷ୍ଠିତ ଶତାଧିକ ଜନ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଆନ୍ଦୋଳନ ପାଇଁ ସେ ଅନେକ ଥର କରାବରଣ ମଧ୍ୟ କରିଛନ୍ତି। ୨୦୦୭ ମସିହାରେ ରେଙ୍ଗାଲି ଗ୍ରାମ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଦାୟିତ୍ୱ ତୁଲାଇ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମରେ ସହଭାଗୀହୋଇଥିଲେ। ଭାରତୀୟ ମହିଲା ଫେଡରେଶନର କାର୍ଯ୍ୟକାରୀ କମିଟିର ସଭ୍ୟ ଏବଂ ଓଡିଶାର ସର୍ବ ପୁରାତନ ମହିଳା ସଙ୍ଗଠନ ଉତ୍କଳ ମହିଳା ସମିତିର ରାଜ୍ୟ ଉପ-ସଭାନେତ୍ରୀ ପଦରେ ଅଧିଷ୍ଠିତ ଥିଲେ। ଏହାବ୍ୟତୀତ ଭାରତୀୟ କ୍ଷେତ ମଜଦୁର ୟୁନିୟନ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ, ଆଦିବାସୀ ମହାସଭା ରାଜ୍ୟ ପରିଷଦ ସଭ୍ୟ ଥିଲେ। ସଂପ୍ରତି ପରିଣତ ବୟସରେ ଉପନୀତ କ୍ରିଷ୍ଣା ମହାରଣା ନ୍ୟାର୍ଯ୍ୟ ଅଧିକାର ଏବଂ ହକ୍ ହାସଲ ପାଇଁ ସଂଗ୍ରାମ କରୁଥିବା ଯୁବପିଢି ପାଇଁ ପ୍ରେରଣାର ଉତ୍ସ। ମାର୍ଚ ୮ ମହିଳା ଦିବସରେ କ୍ରିଷ୍ଣା ସମସ୍ତଙ୍କ ପାଇଁ ପ୍ରେରଣା।
-Advertisement-
-Advertisement-