କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା,କ୍ରାଇମ୍‌ବ୍ରାଞ୍ଚ ଶର୍ମିଷ୍ଠାଙ୍କ ସହ ୪ଜଣଙ୍କୁ ନେଲା ଚାନ୍ଦବାଲି

ଭୁବନେଶ୍ୱର ୩୧।୦୩ :  ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ନିରଞ୍ଜୀନ ସେଠୀ, ରଞ୍ଜନ ନାୟକଙ୍କର ମଙ୍ଗଳବାର ଠାରୁ ୫ଦିନିଆ ରିମାଣ୍ଡ ଆରମ୍ଭ ହୋଇଛି।  ପ୍ରଥମେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ଉପରେ ନ୍ୟସ୍ତ ରହିଛି । କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାଙ୍କ ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରାଜ କମ୍ୟୁନିକେସନ୍‌ର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରଖିଛି ।  ମାନସକୁ ହତ୍ୟା କରାଯିବା ପରେ ଶର୍ମିଷ୍ଠା ପୋଲିସକୁ ବାଟବଣା କରିବା ପାଇଁ ନିଜ ଫ୍ଲାଟ୍‌ରେ ମୋବାଇଲ୍‌ ଛାଡ଼ି ପଳାଇଯାଇଥିଲା । ପରେ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପାଇଁ ୩ଟି ନୂଆ ସିମ୍‌ କିଣିଥିଲା । ଗୋଟିଏ ସିମ୍‌ ଅଗରପଡ଼ାରୁ କିଣିଥିବା ବେଳେ ଅନ୍ୟ ୨ଟି କୋଲକତାରୁ କିଣିଥିବାର ସୂଚନା ଦେଇଛି । ଫେବୃୟାରୀ ୭ ତାରିଖରେ ଶର୍ମିଷ୍ଠା ଝୁନାକୁ ଧରି ତା’ର ଶାଶୂଘର ଯାଜପୁର ଜିଲ୍ଲା କାଳିଆପାଣିକୁ ଯାଇଥିଲା । ସେଠାରେ ୩ ଦିନ ରହିବା ପରେ ଶାଶୂ ସହ ନଣନ୍ଦ ଘରକୁ ଯାଇ ୩ ଦିନ ରହିଥିଲା । ସେଠାରୁ ସେ ସିଧା କୋଲକତା ଯାଇ ନଦିଆ ଓ ମାୟାପୁରୀରେ କିଛି ଦିନ ବିତାଇବା ପରେ ପୋଲିସ ଭୟରେ ଜଳପାଇଗୁଡ଼ି ଚାଲିଯାଇଥିଲା । ସେଠାରୁ ପୁଣି କୋଲକତା ଫେରିଥିଲା । ହେଲେ ପଇସା ସରିଯିବାରୁ ସେ ଓଡ଼ିଶା ଫେରିବ ବୋଲି କୋଲକତା ଛାଡ଼ିଥିଲା । ତେବେ ଭଦ୍ରକ ନଳାଙ୍ଗ ନିକଟରୁ ତାକୁ ଓ ସହଯୋଗୀ ଝୁନାକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା । ଏହି ଜଘନ୍ୟ ହତ୍ୟାକଣ୍ଡାର କ୍ରାଇମ୍‌ ସିନ ରିକ୍ରିଏସ୍‌ନ ପାଇଁ ଶର୍ମିଷ୍ଠା ଓ ବାକି ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଅଭିମୁଖେ ବାହାରିଛି କ୍ରାଇମ୍‌ବାଞ୍ଚ । କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠା, ନିରଞ୍ଜନ ଓ ବାକି ଅଭିଯୁକ୍ତଙ୍କୁ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରିଛନ୍ତି ।

-Advertisement-
-Advertisement-