ରାଜ୍ୟରେ ଲାଗୁ ହେଲା ERV ସେବା,ଶୁଭାରମ୍ଭ କଲେ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା

କଟକ,  ୦୫/୦୪ :ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପୋଲିସର ମିଳିତ ଆନୂକୂଲ୍ୟରେ ERV ସେବାର ଶୁଭାରମ୍ଭ ହୋଇଛି । ସ୍ୱତନ୍ତ୍ର ଡିଜି (ଏସଏପି) ମନୋଜ ଛାବ୍ରା ଓଏସଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ପ୍ରଥମ  ପର୍ଯ୍ୟାୟରେ୧୦୬ଟି ଯାନ ପ୍ରଦାନ କରାଯିବାକୁ ଥିବାବେଳେ ସୋମବାର ୬୨ଟି ଯାନକୁ ଲୋକାର୍ପଣ କରାଯାଇଛି । ବାକି ଯାନ ଦ୍ୱିତୀୟ ପର୍ଯ୍ୟାୟରେ ଉନ୍ମୋଚନ କରାଯିବ ।ପୂର୍ବରୁ ଓଡ଼ିଶା ସରକାର ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆରଏସଏସ) ଅଧୀନକୁ ଆଣିବା ଲାଗି ଏକ ଜରୁରୀକାଳୀନ ହେଲପ୍‌ ଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି । ଏହି ନୂଆ ୧୦୬ ଟି ଇଆର୍‌ଭିର ଶୁଭାରମ୍ଭ ୧୧୨ସେବାକୁ ଆହୁରୀ ମଜବୁତ କରିବ ।  କଟକ ଷଷ୍ଠ ବାଟାଲିୟନ ଗ୍ରାଉଣ୍ଡରେ ଏହି ସେବାର ଶୁଭାରମ୍ଭ କରାଯାଇଛି । ସାଧାରଣ ନାଗରିକ ୧୧୨ ନମ୍ବର ଡାଏଲ କରି ଏହି ଇଆରଭି ସେବାର ଲାଭ ନେଇପାରିବେ । ରେସପନ୍ସ ବାହନରେ GIS ଓ GPS ସୁବିଧା ରହିଛି । ପ୍ରଥମ ପର୍ଯ୍ୟାୟରେ ଏହି ୧୦୬ଟି ଗାଡି ରାଜ୍ୟର ୩୪ ପୋଲିସ ଜିଲ୍ଲା ମୁଖ୍ୟାଳୟରେ ନିୟୋଜିତ ହେବ । ଏକାଧିକ ସଂଖ୍ୟକ ଜରୁରୀକାଳୀନ ନମ୍ବର ବଦଳରେ ୧୧୨ ଡାଏଲ କରି ପୋଲିସ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ସେବାଗୁଡିକର ସୁବିଧା ଏକତ୍ର ନେଇପାରିବେ । ଭୁବନେଶ୍ୱର କଟକ କମିଶନରେଟ ପୋଲିସ ପାଇଁ ମୋଟ ୧୪ ଟି ଗାଡି ପ୍ରଦାନ କରାଯାଇଥିବାବେଳେ ପ୍ରତି ଜିଲ୍ଲାର ପ୍ରମୁଖ ସହରକୁ ୩ଟି ଲେଖାଏଁ ଗାଡି ପ୍ରଦାନ କରାଯାଇଛି । ଏନେଇ ସ୍ପେଶାଲ ଡିଜି ଏସ୍ଏପି ମନୋଜ ଛାବ୍ରା କହିଛନ୍ତି ଯେ, ‘ଆମେରିକାରେ ରହିଥିବା ୯୧୧ ସେବା ଦ୍ୱାରା ଅଗ୍ନିଶମ, ଆମ୍ୱୁଲାନ୍ସ ଓ ପୋଲିସ ସମାନ ନମ୍ୱରରେ ଯୋଗାଇଦିଆଯାଉଛି । ଠିକ୍‌ ସେହିପରି ଆମ ଓଡ଼ିଶାରେ ମଧ୍ୟ ଏହି ସେବା ଲାଗୁ କରାଯାଇଛି । ଏହା ରାଜ୍ୟବାସୀଙ୍କୁ ଯଥାଶୀଘ୍ର ସାହାଯ୍ୟ କରିବ । ଆଜି ମୋଟ୍‌ ୧୦୬ଟି ଗାଡିର ଶୁଭାରମ୍ଭ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୧୫୦ ଗାଡି ଯୋଗାଇଦିଆଯିବ । ଏହା ଦ୍ୱାରା ଲୋକଙ୍କ ଜରୁରୀକାଳିନ ପରସ୍ଥିତିରେ ସହାୟକ ହେବ’ ।

-Advertisement-
-Advertisement-