ରାଜକନିକା,୯/୪:ସାମାନ୍ୟ ବଚସାରୁ ବେଳେବେଳେ ଏମିତି ଅଘଟଣ ଘଟିଯାଉଛିଯେ, ମଣିଷର ରକ୍ତ ସଂପର୍କରେ କଳଙ୍କର ଦାଗ ଲାଗିଯାଇଛି । ବିଶ୍ୱାସ ହେଉନଥିବା ଘଟଣା ଘଟିଯାଉଛି । ସମାଜରୁ ମାନବିକତା, ସ୍ନେହ, ଶ୍ରଦ୍ଧା ସଂପର୍କ ତୁଟିଯାଇଛି । ହଜିଯାଇଛି ଦାଦା, ପୁତୁରା ଏବଂ ବଡ଼ବାପାଙ୍କ ପ୍ରତି ଭକ୍ତି ଆଉ ଭଲପାଇବା । ଏଭଳି ଏକ ଅଭାବନୀୟ ଘଟଣାକ୍ରମେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଳକ୍ ସିହୋପଡ଼ା ଗ୍ରାମରେ ଜଣେ ପୁତୁରାର ଇଟା ମାଡ଼ରେ ବଡ଼ବାପାଙ୍କର ଶୋଚନୀୟ ଅକାଳ ମୃତ୍ୟୁ ଘଟିଛି । ଯେଉଁ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବରମୁତାବକ ରାଜକନିକା ବ୍ଳକ୍ ସିହୋପଡ଼ା ଗ୍ରାମର ଅଭୟ ମଲ୍ଲିକ(୫୭) ଏବଂ ତାଙ୍କ ପୁତୁରା ଅନୀଲ ମଲ୍ଲିକ(୨୯)ଙ୍କ ପରିବାର ମଧ୍ୟରେ ଟାହିଟାପରା କାରଣକୁ ନେଇ କଳହ ଲାଗିରହୁଥିଲା । ଅଭୟଙ୍କ ବୋହୁ ଲକ୍ଷ୍ମୀ ଏବଂ ପୁତୁରା ଅନୀଲଙ୍କ ସ୍ତ୍ରୀ ମାଳତୀଙ୍କ ସହିତ ଟାହିଟାପରା ଲାଗିରହୁଥିଲା । ଲକ୍ଷ୍ମୀଙ୍କର ଦୁଇ ଝିଅ ରହିଥିବା ବେଳେ ମାଳତୀଙ୍କର ଗୋଟିଏ ପୁଅ ଅଛି । ଏହି କାରଣକୁ ନେଇ ଉଭୟ ବୋହୁଙ୍କ ମଧ୍ୟରେ ମଝିରେ ମଝିରେ ଟାହିଟାପରା କଳହ ସୃଷ୍ଟି କରୁଥିଲା । ଶୁକ୍ରବାର ମଲ୍ଲିକ ପରିବାରରେ କଳାବାଦଳ ଯେମିତି ଘୋଟି ଆସିଥିଲା । ଦିନ ୨ଟାରେ ପରିବାରର ଦୁଇ ବୋହୁଙ୍କ ପାଟିତୁଣ୍ଡ ଲାଗିଥିଲା । ଏହି ସମୟରେ ଅଭୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ । ଘଟଣାର କିଛି ସମୟ ପରେ ଅନୀଲ ମଧ୍ୟ ଘରେ ପହଂଚିଯାଇଥିଲେ । ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ହଠାତ୍ ଇଟା ଫୋପଡ଼ା ଫୋପଡ଼ି ଲାଗିଲା । ଅନୀଲ ଏକ ଇଟା ମାଡ଼ କରିବାରୁ ବଡ଼ବାପା ଅଭୟଙ୍କ ମୁଣ୍ଡ ପଛପଟରେ ବାଜିଲା । ଏହା ସହିତ ପରିବାରର ମହିଳାମାନେ ଖଣ୍ଡିଆଖାବରା ହୋଇଯାଇଥିଲେ । ଏହି ଇଟାମାଡ଼ରେ ଅଭୟଙ୍କ ମୁଣ୍ଡ ଫାଟିଯାଇଥିଲା । ଫଳରେ ଗ୍ରାମବାସୀମାନେ ଅଭୟଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଡ଼ାକ୍ତର ତାଙ୍କୁ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ହେଲେ କେନ୍ଦ୍ରାପଡ଼ା ଯିବା ବାଟରେ ଅଭୟଙ୍କର ମୃତ୍ୟୁ ଘଟିଥିଲା । ମୃତ ଅଭୟଙ୍କ ପୁଅ ଆର୍ତ୍ତବନ୍ଧୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜକନିକା ଆଇଆଇସି ବିଲ୍ୱମଙ୍ଗଳ ସେଠୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଅସାମୀ ଅନୀଲଙ୍କୁ ଗିରଫ କରି ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି ।
-Advertisement-
-Advertisement-