Home ଜାତୀୟ ଆଜି ଜମ୍ମୁ କଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ,୨୦ ହଜାର କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

ଆଜି ଜମ୍ମୁ କଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ,୨୦ ହଜାର କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

ଆଜି ଜମ୍ମୁ କଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ,୨୦ ହଜାର କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ
image source:Deccan Heraled

ନୂଆଦିଲ୍ଲୀ,୨୪/୦୪:ଆଜି ଜମ୍ମୁ କଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  | ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ଆଜି ଜମ୍ମୁ କଶ୍ମୀର ଗସ୍ତ କରି ସେଠାରେ ଦେଶବ୍ୟାପୀ ଗ୍ରାମସଭାଗୁଡିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେ ଶମ୍ବା ଜିଲ୍ଲାର ପାଲୀ ପଞ୍ଚାୟତ ପରିଦର୍ଶନ କରିବେ । ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେ ଅମୃତ ସରୋବର କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ । ପରେ ପରେ ଅପରାହ୍ନ ପ୍ରାୟ ୫ଟା ବେଳକୁ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ମାଷ୍ଟର ଦୀନନାଥ ମଙ୍ଗେସକର ସମ୍ମାନ ସମାରୋହରେ ଯୋଗଦେବେ ଓ ସେଠାରେ ସେ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନ ଗ୍ରହଣ କରିବେ । ୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରେ ସାମ୍ବିଧାନିକ ସଂସ୍କାର ପ୍ରବର୍ତ୍ତନ ହେବା ପରଠାରୁ ସରକାର ସେ ଅଞ୍ଚଳରେ ଜନସାଧାରଣଙ୍କ ଜୀବନମାନରେ ଉନ୍ନତି ଓ ଉତ୍ତମ ପ୍ରଶାସନ ପାଇଁ ଅନେକ ସଂସ୍କାର ଆଣିଛନ୍ତି, ଯେଉଁ ପ୍ରକଳ୍ପଗୁଡିକ ଉଦଘାଟିତ ହେଉଛି ବା ଯାହାର ଶିଳାନ୍ୟାସ କରାଯାଉଛି ସେଗୁଡିକ ଭବିଷ୍ୟତରେ ଅଞ୍ଚଳର ଭିତ୍ତିଭୂମୀ ବିକାଶ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ବିଶେଷ ସହାୟକ ହେବ । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣ ସଭାରେ ସାମିଲ ହେବାକୁ ଲୋକଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଦେଇ ଯିବାକୁ ହେବ । ସଭାକୁ ଆତଙ୍କୀ ଭଣ୍ଡୁର କରିବାକୁ ଉଦ୍ୟମ ଆଶଂକାରେ ଅଧିକାଂଶ ସ୍ଥାନରେ ତାରବାଡ଼ ଲଗାଯାଇଛି ।ଏହି ଅବସରରେ ୭୫ଟି ଜଳ ପ୍ରକଳ୍ପକୁ ନେଇ ଅମୃତ ସରୋବର ଯୋଜନାର ଶୁଭାରମ୍ଭ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଯନ କରିବେ । ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ପଡିବ । ଏହା ଏକ ଦ୍ୱେତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି । ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି । ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ଅଧିକ ହେବ । ପ୍ରଧାନମନ୍ତ୍ରୀ ୭୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନି ରୋଡ ପ୍ୟାକେଜ ବିଶିଷ୍ଟ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସ ୱେର ଶିଳାନ୍ୟାସ ମଧ୍ୟ କରିବେ ।  ପ୍ରଧାନମନ୍ତ୍ରୀ ମଧ୍ୟ ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ । ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ । ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ । ଜମ୍ମୁ ଓ କଶ୍ମୀରରେ ଜନଔଷଧି କେନ୍ଦ୍ରର ବିସ୍ତାର ତଥା ଉତ୍ତମ ମାନର ଜେନେରିକ ଔଷଧ କମ ବ୍ୟୟ ସାପେକ୍ଷ ଦରରେ ଉପଲବ୍ଧ କରାଇବା ପାଇଁ ଶହେଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ଓ ତାହା ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କେନ୍ଦ୍ରଶାସିତ ଅଞ୍ଚଳର ଦୂରଦୂରାନ୍ତରେ ଏହି କେନ୍ଦ୍ରଗୁଡିକ ରହିଛି । ସେ ମଧ୍ୟ ୫୦୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ ପାଲୀରେ ଉଦଘାଟନ କରିବେ । ଏହା ଦ୍ୱାରା ଏହା ଦେଶର ଅଙ୍ଗାରକାମ୍ଳ ରହିତ ଦେଶର ପ୍ରଥମ ପଞ୍ଚାୟତ ହେବ ।