ପୁରୀ: ଆଜି ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତୀ। ସଜେଇ ହୋଇଛି ସ୍ନାନବେଦୀ । ରତ୍ନସିଂହାସନରୁ ସ୍ନାନବେଦୀକୁ ବିଜେ ହେବେ ମହାପ୍ରଭୁ । ପରେ ହାତୀବେଶରେ ଦର୍ଶନ ଦେବେ । ଏହି ଅବସରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶ୍ରୀ ଜଗନ୍ନାଥଙ୍କର ଦ୍ବାଦଶ ଯାତ୍ରା ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଜ୍ୟେଷ୍ଠ ପୁର୍ଣିମାରେ ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିରର ଉତ୍ତର ପୂର୍ବ କୋଣରେ ଆନନ୍ଦ ବଜାରକୁ ଲାଗି ବିରାଟ ମଣ୍ଡପରେ ଏହି ସ୍ନାନଯାତ୍ରା ଅନୁଷ୍ଠିତ ହୁଏ। ଦାରୁ ବିଗ୍ରହମାନଙ୍କୁ ସାରାବର୍ଷ ବିମ୍ବସ୍ନାନ କରାଯାଉଥିଲା ବେଳେ ସ୍ନାନପୁର୍ଣିମା ଅବସରରେ ସୁଗନ୍ଧିତ ଜଳରେ ମୁକ୍ତସ୍ନାନ କରାଯାଏ ।
ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ପହଣ୍ଡି ସମୟରେ ଟିକେଟ୍ ଧାରୀମାନେ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ-ଭେଇକିଲ୍ ଜୋନ୍। କେବଳ ପାସ୍ ଧାରୀମାନେ ମରଚିକୋଟ ଚକ ପର୍ଯ୍ୟନ୍ତ ଯାଇପାରିବେ।
ଏଥିପାଇଁ ୬୮ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଭିଜ୍ଞ ଅଧିକାରୀ ମୁତୟନ ହୋଇଛନ୍ତି। ଚାରି ଜଣ ଏସପି ରାଙ୍କ୍ ର ଅଫିସର, ୧୨ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ ରୁ ଉର୍ଦ୍ଧ୍ବ ସବ୍ ଇନସପେକ୍ଟର ସମେତ ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୧୧୨ କୁ ପୁଲିସ ହେଲପ୍ ଲାଇନ୍ ନମ୍ବର ଭାବେ ଜାରିହୋଇଛି । ଭିଆଇପି ଓ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସ୍ନାନଯାତ୍ରାକୁ ସଫଳ କରିବା ଲାଗି ଗତକାଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ବାରା ରିଜର୍ଭ ପୋଲିସ ଲାଇନ ପଡିଆରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠତ ହୋଇଥିଲା I ବୈଠକରେ ଏଡିଜି ଦୟାଲ ଗଙ୍ଗୱାର, ଡିରେକଟର ଇଣ୍ଟେଲିଜେନ୍ସ ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଏସପି ସଞ୍ଜୟ କୁମାର କୌଶଳ, ପୁରୀ ଏସପି ପିନାକ ମିଶ୍ରଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବଡଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ଶ୍ରଦ୍ଧାଳୁମାନେ ବଡଦାଣ୍ଡସ୍ଥିତ ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଅଭିମୁଖେ ଆସିବେ ଏବଂ SJRC ଠାରେ ପହଞ୍ଚିବେ। ଏହାପରେ ସେଠାରୁ SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବା ଲାଗି ପୋଲିସ୍ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି ହୋଇଛି।
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତୀ
-Advertisement-
-Advertisement-