କବି ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ଵର,୨/୨: ଆଉ ନାହାଁନ୍ତି ଓଡ଼ିଆ କବି ପ୍ରମୋଦ କୁମାର ମହାନ୍ତି । ୮୨ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି ।‘ଅସରନ୍ତି ଅଣସର’ କବିତା ସଙ୍କଳନ ପାଇଁ ୨୦୦୮ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ବହୁ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ମାନ ମିଳିଛି। ୧୯୪୨ ମସିହା ଜାନୁଆରି ୨୬ରେ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ଜଗତ୍‌ସିଂହପୁର ବିରିଡ଼ି ଗ୍ରାମରେ ଜନ୍ମିତ ପ୍ରମୋଦ କୁମାର ମହାନ୍ତି ମନୋବିଜ୍ଞାନରେ ଅଧ୍ୟାପନା କରୁଥିଲେ ବି କବିତା ଲେଖିବା ଥିଲା ତାଙ୍କର ଆବେଗ। ପ୍ରାୟ ଅର୍ଦ୍ଧ ଶତାବ୍ଦୀ କାଳ କବିତର ରଚନାରେ ମନୋନିବେଶ କରିଥିବା କବି ପ୍ରମୋଦ କୁମାର ମହାନ୍ତିଙ୍କର ୧୧ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି। ସେସବୁ ମଧ୍ୟରେ ରହିଛି, ‘କ୍ରମଶଃ’ (୧୯୬୭), ‘ଦେବୀପାଦ’ (୧୯୮୧), ‘ଅକାତକାତ’ (୧୯୯୫), ‘ଚିତ୍ର ନଦୀ’ (୨୦୦୨) ‘ଅସରନ୍ତି ଅଣସର’ (୨୦୦୬), ‘ଅଲଗା କୁହ’ (୨୦୦୭), ‘ଚିତ୍ର, ଚିତ୍ରକ, ଚିତ୍ରପେଡ଼ି’ (୨୦୦୯), ‘ଅକ୍ଷର ସେବା’ (୨୦୧୪), ‘ବାଙ୍‌କ୍‌ମୟ ବର୍ଣ୍ଣମାଳା’ (୨୦୧୬) ଓ‘ଅଧାଅଧା ଅଲିମ୍ପିକ୍’ (୨୦୧୭)। ବାଗଲପୁରସ୍ଥିତ ଅଳକା ହାଇସ୍କୁଲ୍‌ରୁ ମେଟ୍ରିକ୍‌ ପାସ୍‌ କରିବା କଟକ ସହରସ୍ଥିତ ରେଭନେ୍‌ସା କଲେଜରେ ପଢ଼ିଥିଲେ। ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଥିଲେ ବି ଅସୁବିଧା ହେତୁ ଚିନ୍ତାମଣି ବିଦ୍ୟାପୀଠରେ କିଛି କାଳ ଶିକ୍ଷକତା କରିଥିଲେ। ପରେ ସେ ମନୋବିଜ୍ଞାନରେ ସ୍ନାତକତ୍ତୋର ହାସଲ କରି ବାଙ୍କି କଲେଜରେ ଜଣେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଶେଷରେ ୧୯୯୪ରେ ଭୁବନେଶ୍ବରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରୁ ଶିଶୁ-ମନୋବିଜ୍ଞାନ ନିର୍ଦେଶନା-ଅଧ୍ୟାପକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ। ତାଙ୍କ ପରଲୋକରେ ଓଡିଶା ସାହିତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

-Advertisement-
-Advertisement-