ମୁମ୍ବାଇ ୨୨/୦୪: ଚଳିତ ଆଇପିଏଲ୍ରେ ୩୪ ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ପୁନେ ସ୍ଥିତ ଏମ୍ସିଏ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ କରୋନା ସଂକ୍ରମଣକୁ ନଜରରେ ରଖି ଏହି ମ୍ୟାଚ୍କୁ ୱାଙ୍ଖଡେ ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି । ମ୍ୟାଚରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ୬ଟି ମ୍ୟାଚ୍ ଖେଳି ରୟାଲ୍ସ ଦଳ ୪ ବିଜୟ ସହ ମୋଟ୍ ୮ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି । କ୍ୟାପିଟାଲ୍ସକୁ ହରାଇବା ପାଇଁ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟ ପଟରେ କରୋନା ସଂକ୍ରମଣ ମଧ୍ୟ କ୍ୟାପିଟାଲ୍ସ ମନୋବଳ ଭାଙ୍ଗି ପାରି ନାହିଁ । ଦଳର ୬ଜଣ ସଦସ୍ୟ ଅସୁସ୍ଥ ହୋଇ କ୍ୱାରେଣ୍ଟାଇନ୍ରେ ରହିଥିଲେ ହେଁ କ୍ୟାପିଟାଲ୍ସ ଗତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ଏକ ତରଫା ଭାବେ ହରାଇଥିଲା । ୬ଟି ମ୍ୟାଚ୍ ଖେଳି କ୍ୟାପିଟାଲ୍ସ ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଦଳ ଷଷ୍ଠ ସ୍ଥାନରେ ରହିଛି । ଆଜି ଦୁଇ ଦଳର ଓପନରଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହେବ । ମୋଟ୍ ଉପରେ କହିବାକୁ ଗଲେ ଏହି ମ୍ୟାଚ୍ରେ ପାୱାର ପ୍ଲେ ଲଢେଇ ଦେଖିବାକୁ ମିଳିବ। ଉଭୟ ଦଳର ଓପନର ଫର୍ମରେ ରହିଛନ୍ତି । ରୟାଲ୍ସର ଜୋସ ବଟଲର ଇତି ମଧ୍ୟରେ ୨ଟି ଶତକ ଅର୍ଜନ କରିସାରିଛନ୍ତି। କ୍ୟାପିଟାଲ୍ସ ଓପନର ପୃଥ୍ୱୀ ଶ’ ଓ ଡେଭିଡ୍ ୱାର୍ଣ୍ଣର ପାୱାର ପ୍ଲେରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ।ଲେଗ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ଉପରେ ନଜର ରହିବ । ଗତ ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ଚହଲ ହ୍ୟାଟ୍ରିକ୍ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । କ୍ୟାପିଟାଲ୍ସ ବ୍ୟାଟରମାନେ ତାଙ୍କୁ ସତର୍କତାର ସହ ସାମ୍ନା କରିବେ ।