IPL 2022: ବେଙ୍ଗାଲୁରୁକୁ ହରାଇଲା ହାଇଦ୍ରାବାଦ

Image Source : IPL Twitter

ମୁମ୍ବାଇ,୨୩/୪: ଚଳିତ ଆଇପିଏଲରେ ସବୁଠୁ ସହଜ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ। ଘାତକ ବୋଲିଂ ବଳରେ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯ ଓ୍ଵିକେଟରେ ପରାସ୍ତ କରିଛି। ଏହା ସହିତ ଦଳ କ୍ରମାଗତ ପଞ୍ଚମ ବିଜୟ  ହାସଲ କରି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ୨କୁ ଉଠିଛି।  ବେଙ୍ଗାଲୁରୁ ଦ୍ଵାରା ଧାର୍ଯ୍ୟ ୬୯ ରନର  ବିଜୟ ଲକ୍ଷ୍ୟକୁ ସନରାଇଜର୍ସ ହାଇଦ୍ରବାଦ ୮ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ୪୭ ରନ କରିଥିଲେ। କେନ ଓ୍ଵିଲିୟମସନ ୧୬ ରନ କରି ଅପରାଜିତ ଥିଲେ।ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଆଇପିଏଲର ୩୬ତମ ମୁକାବିଲାରେ ଦୟନୀୟ ବ୍ୟାଟିଂ କରିଥିଲା। ଦଳର ବ୍ୟାଟସମ୍ୟାନ ସନରାଇଜର୍ସ ହାଇଦ୍ରାବାଦ ବୋଲରଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିଥିଲେ। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬ ଓଭରରେ ମାତ୍ର ୬୮ ରନରେ ଅଲଆଉଟ୍ ହୋଇଥିଲା। ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ ବ୍ୟାଟସମ୍ୟାନ ଦୁଇ  ଅଙ୍କ ଛୁଇଁ ପାରିଛନ୍ତି। ସୁୟସ ପ୍ରଭୁଦେଶାଇ ୧୫ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୧୨ ରନ ରନ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦର ଦୁଇ ଓପନର ଦମଦାର ବ୍ୟାଟିଂ କରିଥିଲେ। ଚିରାଚରିତ ଶୈଳୀରେ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୭.୨ ଓଭରରେ ୬୪  ରନ ଯୋଡିଥିଲେ।। ଅଭିଷେକ ଶର୍ମା ୨୮ ବଲରୁ ୮ ଚୌକା ଏବଂ ୧ ଛକା ସହ ୪୭ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ କେନ ଓ୍ଵିଲିୟମସନ ୧୬ ରନ ଏବଂ  ରାହୁଲ ତ୍ରିପାଠୀ ୭ ରନରେ ଅପରାଜିତ ଥିଲେ। ଏଥିସହ ହାଇଦ୍ରାବାଦ ୮ ଓଭରରେ ୧ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply