ନୂଆଦିଲ୍ଲୀ ୨୫/୦୪: ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି । ମାକ୍ରୋନଙ୍କୁ ୫୮.୨ ପ୍ରତିଶତ ଭୋଟ୍ ମିଳିଛି । ସେ ମରିନ୍ ଲେ ପେନଙ୍କୁ ପରାସ୍ତ କରି ଲଗାତର ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରୋନଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି । ମାକ୍ରନ୍ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ। ମାଇକ୍ରୋଙ୍କ ବିଜୟ ପରେ ପ୍ୟାରିସର ଏଫିଲ ଟାୱାର ନିକଟରେ ତାଙ୍କର ସମର୍ଥକମାନେ ଖୁସି ପାଳନ କରିଛନ୍ତି । ଚ୍ୟାପ ଡେ ମାର୍ସ ପାର୍କରେ ଏକ ବିଶାଳ ସ୍କ୍ରିନରେ ରେଜଲ୍ଟ ପ୍ରଦର୍ଶିତ ହୋଇଥିଲା । ସମର୍ଥକମାନେ ଜଣେ ଅନ୍ୟକୁ ଶୁଭେଚ୍ଛା ଜଣାଉଥିଲେ । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟୁଇଟ୍ କରି ଇମାନୁଏଲ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଫ୍ରାନ୍ସ ହେଉଛି ଆମର ନିକଟତର ଏବଂ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଆମର ୨ ଦେଶ ବିଶ୍ୱପାଇଁ ବଡ଼ ଯୋଗଦାନ ଦେଉଛି । ସେହିପରି ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଜେଲେନ୍ସ୍କି ରବିବାର ମାଇକ୍ରୋଙ୍କୁ ୟୁକ୍ରେନ୍ର ବନ୍ଧୁ କହିଛନ୍ତି ଓ ସମର୍ଥନର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ମୋର ବିଶ୍ୱାସ ଯେ, ଆମେ ସଂଯୁକ୍ତ ବିଜୟ ସହିତ ଆଗକୁ ବଢ଼ିବା । ଏକ ସମୃଦ୍ଧ ୟୁରୋପ ଗଢ଼ିବା ।