ପୁରୀ,୩୧/୦୩: ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା । ବ୍ଲୁ ଫ୍ଲାଗ୍ ବିଚ୍ରେ ଏହି ପ୍ରତିଯୋଗିତା ହେବ । ଯେଉଁଥିରେ ପୁରୀ ସମେତ ପ୍ରାୟ ୯ ଜିଲ୍ଲାର ବଛା ବଛା ଖେଳାଳି ଟିମ୍ ଭାବେ ନେବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ପକ୍ଷରୁ କୁହାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଡିଆଇପିଆରଓ ଜିତେନ୍ଦ୍ରୀୟ ଜେନା, ପୁରୀ ସ୍ପୋର୍ଟସ ହଷ୍ଟେଲ କବାଡ଼ି ପ୍ରଶିକ୍ଷିକା ସଂହିତା ଦାସ ପ୍ରମୁଖ ଯୋଗଦେଇଥିଲେ । କଟକ, ଓଡ଼ିଶା ପୁଲିସ, ନୂଆପଡା, ସମ୍ବଲପୁର, ଭୁବନେଶ୍ୱର, ଢେଙ୍କାନାଳ, ପୁରୀ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ଅନୁଗୋଳରୁ ମୋଟ ୯ ପୁରୁଷ ଟିମ୍ ଏଥିରେ ଭାଗ ନେବେ । ସେହିପରି ଇଷ୍ଟକୋଣ୍ଟ ରେଲୱେ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ, କଟକ, ପୁରୀ, କିଟ୍ ବିଶ୍ୱବିଦ୍ୟାଳୟରୁ ମୋଟ ୮ ମହିଳା ଦଳ ଏଥିରେ ଭାଗ ନେଉଛନ୍ତି । ଏଥିରେ ପ୍ରାୟ ୩୦୦ ଖେଳାଳି ଓ ଅଫିସିଆଲ ଯୋଗଦେବେ । ପ୍ରତିଦିନ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଖେଳ ଚାଲିବ । ପ୍ରତିଦିନ ପ୍ରାୟ ୧୦ଟି ମ୍ୟାଚ୍ ଖେଳାଯିବ । ଚାମ୍ପିୟନ, ରନ୍ର୍ସ ଅପ୍ ଓ ତୃତୀୟ ସ୍ଥାନ ଅଧିକାର କରୁଥିବା ଟିମ୍କୁ ଆକର୍ଷଣୀୟ ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ଦିଆଯିବ । ସେହିପରି ଉଭୟ ବର୍ଗରେ ୩ ଜଣ ଭଲ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ରାଶି ସହ ସମ୍ମାନିତ କରାଯିବ । ଜିଲ୍ଲା ପ୍ରଶାସନ ପ୍ରତିଯୋଗିତା ଆୟୋଜନ କରୁଥିବା ବେଳେ ଓଏମ୍ସି ଓ କ୍ରୀଡା ବିଭାଗ ସହଯୋଗ କରୁଛି । ଖେଳ ଦେଖିବାକୁ ଆସୁଥିବା ଲୋକେ ନିଃଶୁଳ୍କ ଖେଳ ଦେଖିବାର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି । ଏହି ଅବସରରେ ଜର୍ସି ଉନ୍ମୋଚିତ ହୋଇଥିଲା ।