ଭୁବନେଶ୍ୱର,୨୪/୦୪: ରାଜ୍ୟର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ ହୋଇଛି । ମୋଟ ୭ଜଣ ଓଏଏସ୍ ଏବଂ ଓଆରଏସ୍ ଅଫିସରଙ୍କୁ କ୍ରୀଡା ବିଭାଗରେ ନୂଆ ନିଯୁକ୍ତି ଦିଆଯାଇଛି । ଦୁଇ ଜଣ ଓଏଏସ୍ ବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ କ୍ରୀଡ଼ା ବିଭାଗକୁ ଯାଇଛନ୍ତି । କନିଷି ତହସିଲଦାର ସୋନାଲି ଚାନ୍ଦ ଓ ଲାଠିକଟା ବିଡିଓ ପ୍ରଶାନ୍ତ ତରାଇ କ୍ରୀଡା ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତ ହୋଇଛନ୍ତି । କ୍ରୀଡ଼ା ବିଭାଗରେ ଉପସଚିବ ଥିବା ସପନ କୁମାର ନନ୍ଦ ସାଧାରଣ ପ୍ରଶାସନ ବିଭାଗକୁ ଯାଇଛନ୍ତି । ବିଏମ୍ସିରେ ଡେପୁଟି କମିଶନର ଥିବା ଶ୍ରୀମନ୍ତ ମିଶ୍ରଙ୍କୁ ରାଜସ୍ୱ ପର୍ଷଦର ଉପସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି । ବିଏମ୍ସିରେ ଡେପୁଟି କମିଶନର ଥିବା ମହେନ୍ଦ୍ର କୁମାର ବଢେଇଙ୍କୁ ନୂଆପଡାର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଜୋନ୍ ଅଫିସର କାର୍ତ୍ତିକ ମଣ୍ଡଳ ଭଦ୍ରକର ଭୂମି ଅଧିଗ୍ରହଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ୫ ଜଣ ଓଆରଏସ୍ ବା ରାଜସ୍ୱ ସେବା ଅଧିକାରୀଙ୍କୁ କ୍ରୀଡା ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି । ରାଉରକେଲାରେ ଅତିରିକ୍ତ ତହସିଲଦାର ଥିବା ଅଭିଜିତ ମହନ୍ତ, କୋରାପୁଟରେ ସହକାରୀ ଜିଲ୍ଲାପାଳ ଥିବା ଜ୍ଞାନଜିତ୍ ତ୍ରିପାଠୀ, ଜଳସମ୍ପଦ ବିଭାଗର ଆଇପିଡିପି ଅଫିସର ସୋନାଲି ଶୁଭଦର୍ଶିନୀ, କଟକର ଦେବୋତ୍ତର ଅଫିସର ସ୍ୱରୂପ ନନ୍ଦନ ବେହେରା ଓ ବିଏମ୍ସିରେ ସହକାରୀ କମିଶନର ଥିବା ଲିଲନ ପ୍ରସାଦ ସାହୁଙ୍କୁ କ୍ରୀଡା ଓ ଯୁବ ସେବା ବ୍ୟାପାର ବିଭାଗକୁ ବଦଳି କରାଯାଇଛି ।