‘କମଳ ଦେଶ ରାଜକୁମାର ମୁଁ, ହାତରେ ପୁଷ୍ପଧନୁ..

Image source:Filckr

ଭୁବନେଶ୍ୱର ୧୮।୦୪ : ‘କମଳ ଦେଶ ରାଜକୁମାର ମୁଁ, ହାତରେ ପୁଷ୍ପଧନୁ.. ଲକ୍ଷେ ରାଜାଙ୍କ ମଉଡ଼ମଣି ମୁଁ, ମୋ ନାମ ଚନ୍ଦ୍ରଭାନୁ.. ମୋ ନାମ ଚନ୍ଦ୍ରଭାନୁ.. । – ଏକଦା ରେଡିଓରୁ ଶୁଭୁଥିବା ଏ ଲୋକପ୍ରିୟ ସୁଗମ ସଂଗୀତର ଗାୟକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ଇହଜଗତରୁ ଯାଇଛନ୍ତି । ରବିବାର ବିଳମ୍ବିତ ରାତିରେ ବର୍ଷିଆନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ହୋଇଛି । ୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ୨୦୦୪ରେ ସେ ପାଇଥିଲେ ଜୟଦେବ ପୁରସ୍କାର । ଏହାସହ ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ସେ ଏକାଧିକ ପୁରସ୍କାର ଓ ମାନ ସମ୍ମାନ ପାଇଛନ୍ତି । ୪୦ରୁ ଅଧିକ ଓଡ଼ିଶା ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ କର । ୫ଟି ବଙ୍ଗଳା ଫିଲ୍ମରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ । ତେବେ ୧୯୭୭ର ବନ୍ଧୁ ମହାନ୍ତି ଫିଲ୍ମ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା । ଏହି ସିନେମାର ମହାବାହୁ ଗୀତ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ ପ୍ରଫୁଲ ପରେ । ବଳୀଦାନ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ସିନେ ସଙ୍ଗୀତ ଜଗତରେ ଇତିହାସ ସୃଷ୍ଟି କରିଥିଲେ । ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’। କାରଣ ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି । .ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ଯିଏ ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିଲେ । ଯିଏ ପ୍ରାୟ ୭୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଥିଲେ ସତସତିକା ଜଣେ ରାଜକୁମାର । ତାଙ୍କ ଅଭିଜାତ ଠାଣି, ଶିଳ୍ପୀସୁଲଭ ବେଶପୋଷାକ, ରେଶମୀ ଗଳାର ଗାୟକୀ, ଶାସ୍ତ୍ରୀୟ ସଂଗୀତରେ ତଲ୍ଲୀନତା.. ତାଙ୍କୁ ଓଡ଼ିଆ ଫିଲ୍ମ ଓ ସଂଗୀତ ଜଗତରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଥିଲା ଏକ ବିଶେଷ ଆସନରେ ଅଧିଷ୍ଠିତ କରାଇଥିଲା । ଭଜନ ଓ ଜଣାଣରୁ ଆଧୁନିକ ଗୀତଯାଏ, ପୁଣି ଫିଲ୍ମି ମେଲୋଡି ଧାରାରୁ ଶାସ୍ତ୍ରୀୟ ରାଗ ଆଧାରିତ ସଂଗୀତ ଯାଏ.. ସବୁଥିରେ ଥିଲା ତାଙ୍କର ଗଭୀର ବ୍ୟାପ୍ତି ଓ ବ୍ୟୁତ୍ପତ୍ତି । ଗାଁ ଗହଳିର ସରଳ କଥନିକା ଓ ବୋଲିଠାରୁ କଠିନ ସଂସ୍କୃତ ଶ୍ଳୋକଯାଏ.. ସବୁଥିରେ ଥିଲା ତାଙ୍କର ପ୍ରବେଶ ଓ ପ୍ରସିଦ୍ଧି । ସଂଗୀତ କ୍ଷେତ୍ରରେ ଅମୂଲ୍ୟ ଅବଦାନ ନିମନ୍ତେ ପଦ୍ମଶ୍ରୀ ଓ ଜୟଦେବ ସମ୍ମାନ ଲାଭ କରିଥିବା ଶ୍ରୀ କର ଲେଖାଲେଖିରେ ମଧ୍ୟ ନିଜସ୍ୱ ଛାପ ଓ ଚିହ୍ନ ଛାଡ଼ିଯାଇଛନ୍ତି । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply