କାହା ପ୍ରତିଷ୍ଠା ଦିବସ?

କାଲି ରାଜଧାନୀ ପ୍ରତିଷ୍ଠା ଦିବସକୁ ପ୍ରାୟ ଲୋକ,ନେତା ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବୋଲି ସମ୍ବୋଧନ କରୁଥିବାର ଦେଖାଗଲା। ଭୁବନେଶ୍ୱରକୁ କଣ 1948 ରେ ନେହେରୁ ଆସି ପ୍ରତିଷ୍ଠା କରିଥିଲେ?

ଭୁବନେଶ୍ୱର ଯେତେବେଳେ ପୁରୀ ଜିଲ୍ଲାର ଗୋଟେ ନିପଟ ମଫସଲି ଗ୍ରାମ ଥିଲା,ତା ଯଥେଷ୍ଟ ପୂର୍ବରୁ କଟକ ନଗର ମାନ୍ୟତା ପାଇ ସାରିଥିଲା। ବାଲେଶ୍ୱର,ପୁରୀ ସହର ଆଖ୍ୟା ପାଇ ସାରିଥିଲେ। ଏ ଗ୍ରାମକୁ ରାଜଧାନୀ ରୂପେ ବଛାହେବା ପଛରେ ବହୁ କାରଣ ଥିଲା,ବହୁ ବାଦ ବିବାଦ ପରେ ଭୁବନେଶ୍ୱର ରାଜଧାନୀ ହେଲା। ଓଆରଟି ବସ୍ ରାଜଧାନୀ ବୋର୍ଡ ମାରି ସବୁ ଜିଲ୍ଲାରୁ ଆସି ପହଁଚିଲା। ଦଳ ଦଳ ଅମଲା, ଯନ୍ତ୍ରୀ, ମନ୍ତ୍ରୀ ,ନେତା,କୁଜିନେତା,ସାହୁକାର,ବଣିକ,ଶିକ୍ଷାବିତ ଭୁବନେଶ୍ୱରରେ ତାଙ୍କ ଆସ୍ଥାନ ପକେଇଲେ।

ଭୁବନେଶ୍ୱର ଥାନା 1948 ମସିହା ପୂର୍ବରୁ ଥିଲା। ଯାହା ପରବର୍ତ୍ତୀ ପର୍ଯାୟରେ ଲିଙ୍ଗରାଜ ଥାନା ମାନ୍ୟତା ପାଇଲା। ରାଜଧାନୀ ପ୍ରତିଷ୍ଠା ପରେ କ୍ୟାପିଟାଲ ଥାନା ଖୋଲିଲା,ତେଣୁ ଭୁବନେଶ୍ୱର ଓ ରାଜଧାନୀ ଏକ ଭାବିବା ଆମ ମତରେ ସମାଚୀନ ନୁହେଁ।

ସହର ଗ୍ରାମକୁ ଗ୍ରାସ କରେ। କଟକ ସହର,ବାଲେଶ୍ୱର ସହର,ପୁରୀ ସହର ଗ୍ରାମ ଚଳଣିକୁ ସମ୍ମାନ ଦେଇ ଆସିଛି।ଗ୍ରାମ୍ୟ ଚଳଣିକୁ ଅକ୍ଷୁର୍ଣ୍ଣ ରଖି ଆସିଛନ୍ତି।ଗ୍ରାମ ଚଳଣିକୁ ଯଦି କିଏ ନଷ୍ଟ କରିଥାଏ ସେ ରାଜଧାନୀ, ଭୁବନେଶ୍ୱର ନୁହେଁ। ପରମ୍ପରା,ସଂସ୍କୃତିକୁ ନଷ୍ଟ କରିଛି ଏଇ ରାଜଧାନୀ ଚଳଣି।
ଭୁବନେଶ୍ୱର ବାସୀ ଆଜିବି ତାଙ୍କ ପରମ୍ପରା ଓ ଚଳଣିରେ ବଞ୍ଚିବାକୁ ଭଲ ପାଆନ୍ତି।

ଗୁରୁତ୍ୱପୂର୍ଣ କଥା ହେଉଛି ଭୁବନେଶ୍ୱର ପାହାଡ଼ ପର୍ବତରେ ଭରା ଥିଲା, ଖଣ୍ଡଗିରି, ଧଉଳିଗିରି,ଲବଣଗିରି ଆଜିବି ଅଛି। ଗୋଟେ rich culture ର ସ୍ଥାନଟି ରାଜଧାନୀ ହେବା ପରେ ତା ପୂର୍ବ ଗୌରବ ହରେଇଛି।

ରାଜଧାନୀ ଗଢ଼ାହେବା ପାଇଁ ଗୋଟେ କମିଟି ତିଆରି ହୋଇଥିଲା, ଯେହେତୁ ଏଠିକା ଜଳବାୟୁ,ମନ୍ଦିର ପରିବେଶ, ପ୍ରାକୃତିକ ଝରଣା ଭରପୁର ଥିଲା, ପାଣି ସମସ୍ୟା ଏଠି ରହିବନାହିଁ, ଡ୍ରେନେଜ ସମସ୍ୟା ରହିବ ନାହିଁ, ସବୁଆଡେ ଖାଲି ସ୍ଥାନ ଥିବା ହେତୁ ସହଜେ ପ୍ରସାରିତ ହେଇପାରିବ ବୋଲି ଆଶା କରାଯାଇ ରାଜଧାନୀ ହେଇଥିଲା। ଦୁଃଖ ଓ ପରିତାପର ବିଷୟ ଆଜି ବହୁ ଝରଣା ତାଙ୍କ ସତ୍ତା ହରେଇଛନ୍ତି, ଐତିହ କୀର୍ତିରାଜି ନଷ୍ଟ ହେଇଛି, ପାହାଡ଼ କଟା ହେଇ ରାସ୍ତା ସମତୁଲ ହେଇଛି।
ସେ ପୁରାଣ ଲିଖିତ ଏକାମ୍ର ବର୍ଣନା ଓ ଶୋଭାରାଜି ଆଜି ବିଲୁପ୍ତ।

କେଦାରଗୌରୀ,ଗୁଆଝର,ଗଙ୍ଗାଜମୁନା ଏମିତି ଅନେକ ଝର ଆଜିବି ଅଛି। ଯେଉଁ ଝରଣା ଯୋଗୁଁ ଭୁବନେଶ୍ୱର ରାଜଧାନୀ ହେଲା, ସେମାନେ ଆଜି ନିଜ ଅସ୍ତିତ୍ୱ ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ୟା ଉପରେ କାହାର ନଜର ନାହିଁ। ମନ୍ତ୍ରୀ, ଅମଲା, ଚାଟୁକାର ଲାଗିଛନ୍ତି ରାଜଧାନୀ ପ୍ରତିଷ୍ଠା ଦିବସରେ। ଆମେ ଭୁବନେଶ୍ୱରିଆ ସତରେ କଣ ଖୁସି ?

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply