ଜୁନ୍‌ ୧୯ ଓ ୨୬ରେ ସମବାୟ ନିର୍ବାଚନ ମତଦାନ

ଭୁବନେଶ୍ୱର,୦୫/୦୪: ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ  ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କ ସୁପାରିସ ଆଧାରରେ ଆସନ୍ତା ଜୁନ୍‌ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ନିମନ୍ତେ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ସମୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିବେ ।ରାଜ୍ୟ ସମବାୟ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ । ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ୨୦୨୦ ମସିହାରୁ ଶେଷ ହୋଇସାରିଛି । କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ସମବାୟ ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଏହା ମଧ୍ୟରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ରାଜ୍ୟର ୭,୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ । ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ ଲକ୍ଷ ସଦସ୍ୟ ଅଛନ୍ତି । ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ହେବ । ପ୍ରାଥମିକ ସମବାୟ ସମିତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଆଗାମୀ ୩୫ ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କର ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର ଓ ଭୋଟ୍‌ ଗ୍ରହଣ ସମ୍ପର୍କିତ କାର୍ଯ୍ୟସୂଚୀ ଘୋଷଣା ହେବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମବାୟ ନିର୍ବାଚନ ହେଉଥିବାରୁ ଚାଷୀଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକୁ ନିଜ ଦଖଲକୁ ନେବାକୁ ପ୍ରୟାସ କରିବେ ।