ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ

ଭୁବନେଶ୍ଵର,୨୫/୨ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୮୩ବର୍ଷ ବୟସରେ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଛି । ୧୫ଦିନ ତଳେ ଶ୍ରୀ ବିଶ୍ୱାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ତଳେ ପଡ଼ିଯାଇଥିଲେ । ସେତେବେଳେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । କିନ୍ତୁ ପରେ ତାଙ୍କୁ ଜ୍ୱର ହୋଇଥିଲା ଓ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।   ହେମାନନ୍ଦ ଓଡ଼ିଶାର ଦୁଇଥର ମୁଖ୍ୟମନ୍ତ୍ରୀ ଦ୍ୱାୟିତ୍ୱ ସମ୍ଭାଳିଥିଲେ । ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଓ ୧୯୯୯ ମସିହା ଡିସେମ୍ବର ମାସ ୬ରୁ ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଂସଦ ରହିଥିଲେ । ଶ୍ରୀ ବିଶ୍ବାଳ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ହେଉଛନ୍ତି ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ।