ନୂଆଦିଲ୍ଲୀ,୨୯/୦୩: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ସୋମବାର ସନ୍ଧ୍ୟାରେ ହେବାକୁ ଥିବା ବିବିସି ସ୍ପୋର୍ଟ୍ସ ୱିମେନ ଅଫ୍ ଦ ଇୟର ଆୱାର୍ଡରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ପଟ୍ଟନାୟକ ତାଙ୍କର ଦିଲ୍ଲୀ ଗସ୍ତ ସମୟରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଫସିଆଇ ଉଷୁନା ଚାଉଳ ଉଠାଇବା, କୋଇଲା ରୟାଲଟି ବୃଦ୍ଧି ଓ କେନ୍ଦ୍ରୀୟ ଅନୁଦାନ ଭଳି ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ସେ ଆଲୋଚନା କରିବେ।ପୂର୍ବରୁ କୋଇଲା ରୟାଲିଟି ସଂଶୋଧନ, ଗ୍ରୀନ୍ ସେସ୍ର ପ୍ରାପ୍ୟ ରାଜ୍ୟକୁ ପ୍ରଦାନ କରିବାପାଇଁ କେନ୍ଦ୍ରକୁ ସୁପାରିଶ କରିଛି ରାଜ୍ୟ । କୋଇଲା ରୟାଲିଟି ବାବଦରେ ୨୦ ପ୍ରତିଶତ ଅନୁଦାନ ଦେବାପାଇଁ କେନ୍ଦ୍ର ନିକଟରେ ସେ ଦାବି କରିବେ । ଗ୍ରୀନ୍ ସେସ୍ ବାବଦ ଅର୍ଥ କେନ୍ଦ୍ର ସରକାର ରାଜ୍ୟକୁ ଦେଉନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । କୋଇଲା ରୟାଲଟି ବୃଦ୍ଧି ପାଇଁ ଦୀର୍ଘ ୭ ବର୍ଷ ହେଲା କେନ୍ଦ୍ର ନିକଟରେ ଦାବି କରାଯାଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ସଂଶୋଧନ କରୁନାହାନ୍ତି । ଫଳରେ ଓଡ଼ିଶା ସରକାର ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇ ସାରିଲେଣି । ପରେ ସେ ସଂସଦୀୟ ଭବନର କେନ୍ଦ୍ରୀୟ କକ୍ଷକୁ ମଧ୍ୟ ଯିବେ । ସେଠାରେ ସେ ବିଭିନ୍ନ ରାଜନୈତିକ ଦଳର ସାଂସଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ।