Home ତାଜା ଖବର ଅଂଶୁଘାତ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଅଂଶୁଘାତ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଅଂଶୁଘାତ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ପୁରୀ,୧୨/୦୪: ଜିଲ୍ଲାସ୍ତରୀୟ ଅଂଶୁଘାତ ପରିଚାଳନା ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଖରାଦିନରେ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ବ୍ୟବସ୍ଥା କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ପିଇବା ପାଣି, ଯାତ୍ରୀବାହୀ ବସରେ ବସିବା କ୍ଷମତା ଠାରୁ ଅଧିକ ଯାତ୍ରୀ ବହନ ନକରିବା ଓ ଜରୁରୀ ନିମନ୍ତେ ବରଫ ବକ୍ସ ରଖିବା, ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବା, ଦିନ ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ନିର୍ମାଣ କାମରେ ନିୟୋଜନ ନକରିବା, ହାଟ ଓ ବଜାର ଭଳି ଜନଗହଳି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବାକୁ ବିଡିଓ, ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ସମସ୍ୟା ସଂକ୍ରାନ୍ତୀୟ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ବୁଲା ପଶୁ ଓ ପକ୍ଷୀ ମାନଙ୍କ ପାଇଁ ସ୍ଥାନେ ସ୍ଥାନେ ପାଣି ବ୍ୟବସ୍ଥା, ଘର ଛାତ ଉପରେ ପକ୍ଷୀ ମାନଙ୍କ ନିମନ୍ତେ ପାଣି ପାତ୍ର ରଖିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ଅଂଶଘାତର ମୁକାବିଲା ଓ ରକ୍ଷା ପାଇବା ଉପାୟ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପଣ୍ତା, ମେଡିକାଲ ଅଧିକାରୀ ଡଃ ଶାନ୍ତନୁ ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳେଇ, ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାଶ, ଜିଲ୍ଲା ସଂଯୋଜକ ଶ୍ରୀ ଆଶୁତୋଷ ଦାଶ, ସମସ୍ତ ବିଡିଓ ଓ ତହସିଲଦାର, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।