ଆସନ୍ତାକାଲି ପୁରୀ ମେଡିକାଲ କଲେଜକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ୧୦/୦୪:  ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଲୋକାର୍ପଣ କରିବେ । ନୂତନ କରି ନାମ ଲେଖାଇଥିବା ଏମବିବିଏସ୍‌ ବିଦ୍ୟାର୍ଥୀଙ୍କ ସହ ମତ ବିନିମୟ କରିବେ । ଏହି ମେଡିକାଲ କଲେଜରେ ଶନିବାର ଦିନ ନାମ ଲେଖା ଶେଷ ହୋଉଛି । ପ୍ରଥମ ବ୍ୟାଚରେ ମୋଟ ୧୦୦ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି । ଏଥିରେ ରହିଛନ୍ତି ୩୦ ଜଣ ଛାତ୍ରୀ ଓ ୭୦ ଛାତ୍ର । ଶିକ୍ଷାବର୍ଷ ୨୦୨୨-୨୩ର ପାଠପଢ଼ା ୧୧ ତାରିଖ ସକାଳ ୯ଟାରୁ ଆରମ୍ଭ ହେବ ବୋଲି ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି ।ଏ ଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।   ମେଡିକାଲ କଲେଜ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ୧୧ ତାରିଖ ଅପରାହ୍ନ ୫ଟା ୫ ମିନିଟରେ ଓହ୍ଲାଇବେ । ସେଠାରୁ ସିଧା ଯିବେ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବକୁ । ମେଡିକାଲ କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ । ନୂତନ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରି କଲେଜର ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିବେ ।   ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଗୁରୁବାର ଦିନ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଜିଲ୍ଲା ଏସପିଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।   ଇତିମଧ୍ୟରେ ମେଡିକାଲ କଲେଜରେ ପାଠ୍ୟ ପରିବେଶ ସୃଷ୍ଟି ଏବଂ କଲେଜରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମେଡିକାଲ କଲେଜର ସମସ୍ତ କ୍ଳାସ ରୁମ୍‌ ପାଠପଢ଼ା ପାଇଁ ବିଦ୍ୟାର୍ଥୀଙ୍କୁ ଅପେକ୍ଷା କରିଛି । ମେଡିକାଲ କଲେଜରେ ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ବି ଶେଷ ହୋଇଛି । ହଷ୍ଟେଲରେ ବିଦ୍ୟାର୍ଥୀଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି, ସୁବିଧା ପ୍ରସ୍ତୁତ ହୋଇ ସାରିଛି । ସୂଚନା ମୁତାବକ କଲେଜ ହଷ୍ଟେଲରେ ମୋଟ ୧୫୦ ଏମବିବିଏସ୍‌ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ରହିବା ବ୍ୟବସ୍ଥା ହୋଇଛି । ପ୍ରଥମ ବର୍ଷ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଇଥିବା ବିଦ୍ୟାର୍ଥୀଙ୍କ ରହିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ହଷ୍ଟେଲ ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିଛି । ମେଡିକାଲର ସମସ୍ତ ପାଠ୍ୟକ୍ରମ ତଥା ବିଭାଗରେ ପାଠ ପଢ଼ାଇବାକୁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ତଥା ଚିିକିତ୍ସା ବିଦ୍ୟାର ଶିକ୍ଷକ ଯୋଗ ଦେଇ ସାରିଛନ୍ତି । ତା ବ୍ୟତୀତ ଅଣଶିକ୍ଷକ ପଦବି ମଧ୍ୟ ପ୍ରାଥମିକ ଭାବେ କାମଚଳା ନିଯୁକ୍ତି ହୋଇଛନ୍ତି । ମେଡିକାଲ କଲେଜର ନିଜସ୍ୱ ଡାକ୍ତରଖାନା କଲେଜ କ୍ୟାମ୍ପସ କଡରେ ନିର୍ମାଣ ଚାଲିଛି । ଏହି ଡାକ୍ତରଖାନାରେ ୬୫୦ ରୋଗୀଙ୍କ ପାଇଁ ଚିକିତ୍ସା ସେବା ଉପଲବ୍ଧ ହେବ । ଏବେ ସାମୟିକ ଭାବେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା (ଡିଏଚଏଚ) ପରିସରରେ ମେଡିକାଲ କଲେଜର ହସପିଟାଲ ସାମୟିକ ଭାବେ କାର୍ଯ୍ୟକ୍ଷମ ହୋଇଛି । ଏହି ଡାକ୍ତରଖାନରେ ୩୮୦ ରୋଗୀଙ୍କୁ ଚିକିତ୍ସା ସେବା ବ୍ୟବସ୍ଥା କରାଯାଇଛି । କଟକ ଏବଂ ବ୍ରହ୍ମପୁରରୁ ବଦଳି ହୋଇ ଆସିଥିବା ପ୍ରଫେସର, ବିଶେଷଜ୍ଞମାନେ ଚିକିତ୍ସା ସେବା ଯୋଗାଉଛନ୍ତି।

-Advertisement-
-Advertisement-