ନୂଆଦିଲ୍ଲୀ, ୦୩।୦୩ : ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧକୁ ନେଇ ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି । ଏହା ଭିତରେ ଗତକାଲି ଠାରୁ ଖାରକିଭ୍ ଉପରେ ରୁଷ ଅହରହ ଆକ୍ରମଣ କରିଚାଲିଛି ।ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆଜି ବସିବାକୁ ଯାଉଛି କ୍ୱାଡ୍ ବୈଠକ । ଚଳିତ ବର୍ଷ ଏହି ବୈଠକ ଭର୍ଚୁଆଲ ଭାବେ ହେଉଥିବା ବେଳେ ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସହ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ ସେପ୍ଟେମ୍ବର ମାସରେ କ୍ୱାଡ୍ ବୈଠକ ଶେଷଥର ପାଇଁ ବସିଥିବା ବେଳେ ଚଳିତ ବର୍ଷ ପୁଣି ଏକାଠି ହୋଇଛନ୍ତି କ୍ୱାଡ୍ ନେତା । ତେବେ ଆଜିର ଏହି ବୈଠକରେ ଋଷ-ୟୁକ୍ରେନ୍ ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହୋଇପାରେ । ୟୁଏନ୍ରେ ଋଷ ବିରୋଧରେ ପାରିତ ପ୍ରସ୍ତାବରେ ୧୯୩ଟି ଦେଶ ମଧ୍ୟରୁ ୩୫ ଦେଶ ଭୋଟ୍ ଦେବାରୁ ବିରତ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ଭାରତ, ପାକିସ୍ତାନ ଓ ଚାଇନା ଭଳି ଦେଶ ରହିଛନ୍ତି ।