ଝଲସିବ ଶ୍ରୀମନ୍ଦିର

ପୁରୀ,୭/୨: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର କୋଣାର୍କ ସୂର୍ଯ୍ୟମନ୍ଦିର ଆଲୋକୀକରଣ ପରେ ଏବେ ଶ୍ରୀମନ୍ଦିର ନଜରକୁ ଆସିଛି । ଶ୍ରୀମନ୍ଦିର ଆଲୋକୀକରଣ ପରିକଳ୍ପନାର ସଫଳ ରୂପାୟନ ନିମନ୍ତେ ବିଦ୍ୟୁତ୍‌ ତାର ବିଛା ସରିଛି । ମେଘନାଦ ପାଚେରିରୁ କୁରୁମବେଢ଼ା, ଜଗମୋହନ, ନାଟମଣ୍ଡପ, ପୀଠ ଦେଉଳର ଶିଖର ପର୍ଯ୍ୟନ୍ତ ବିଜୁଳି ଆଲୁଅ ବିଚ୍ଛୁରଣ ହେବ ଏଥି ପାଇଁ ଜର୍ମାନୀ ପ୍ରସ୍ତୁତ ଏଲ୍‌ଇଡି ବଲ୍‌ବ ଆସି ପହଞ୍ଚିଛି । ଭିତର ବେଢ଼ାର କୁରୁମ ବେଢ଼ା, ବାହାର ବେଢ଼ାର ମେଘନାଦ ପାଚେରି, ଶ୍ରୀମନ୍ଦିର ମୂଳ ଦେଉଳର ବେକି ଠାରୁ ଆରମ୍ଭ କରି ଜଗମୋହନ, ନାଟମଣ୍ଡପ, ଭୋଗ ମଣ୍ଡପ, ସିଂହଦ୍ୱାର ସମେତ ଅନ୍ୟ ତିନି ଗୋଟି ଗୁମୁଟରେ ସ୍ୱତନ୍ତ୍ର ମାନର ଏଲ୍‌ଇଡି ଲାଇଟ୍‌ରେ ସୌନ୍ଦର୍ଯୀକରଣ କରାଯିବ । ଏଏସଆଇର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ସୂଚନା ଦେଇଛନ୍ତି ଯେ ଶ୍ରୀମନ୍ଦିର ଆଲୋକୀକରଣ ପରିକଳ୍ପନାରେ ଅନ୍ୟୂନ ଦେଢ଼ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି । ଏହି ଆଲୋକୀକରଣ ବ୍ୟବସ୍ଥାରେ ଶ୍ରୀମନ୍ଦିର ଉପରେ ହଳଦିଆ ରଙ୍ଗର ସ୍ୱତନ୍ତ୍ର ଆଲୁଅ ସ୍ଥାପନ ହେବ । ଏଥିରୁ ଶ୍ରୀମନ୍ଦିର ଝଲସି ଉଠିବ । ମେଘନାଦ ପାଚେରି, ଗୁମୁଟ, ମେଘନାଦ ପାଚେରି, ଜଗମୋହନ ଏବଂ ଶ୍ରୀମନ୍ଦିର ଉପରେ ଉଜ୍ଜ୍ୱଳ ଆଲୁଅ ବିଚ୍ଛୁରଣର ବ୍ୟବସ୍ଥା ହୋଇଛି ।