Home ତାଜା ଖବର ନମତରା ପିଇଓଙ୍କୁ ଠେଲାପେଲା, ତାଲା ମାରି ଅଟକ ରଖିଲେ,କାର ଚକରୁ ପମ୍ଫ କାଢ଼ିଲେ

ନମତରା ପିଇଓଙ୍କୁ ଠେଲାପେଲା, ତାଲା ମାରି ଅଟକ ରଖିଲେ,କାର ଚକରୁ ପମ୍ଫ କାଢ଼ିଲେ

ନମତରା ପିଇଓଙ୍କୁ ଠେଲାପେଲା, ତାଲା ମାରି ଅଟକ ରଖିଲେ,କାର ଚକରୁ ପମ୍ଫ କାଢ଼ିଲେ

ରାଜକନିକା,୧୭ା୩ : ପଂଚାୟତର କୌଣସି କ୍ୟାସ୍ ବୁକ୍ ନଥିଲା କି କାଗଜପତ୍ର ଦେଖାଇପାରିନଥିଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) । ନୂତନ ସରପଂଚଙ୍କୁ ଦାୟିତ୍ୱ ଦେବାକୁ ଆଜି କାଲି କହୁଥିଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) । ଏଭଳି ଘଟଣାରେ ବିଡ଼ିଓଙ୍କ ନିର୍ଦ୍ଦେଶ ପରେ ବୁଧବାର ଅପରାହ୍ଣରେ ସରପଂଚଙ୍କୁ ଦାୟିତ୍ୱ ଦେବାକୁ ଆସି ହଟହଟା ହୋଇଛନ୍ତି ନମତରା ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) । ପଂଚାୟତବାସୀଙ୍କ ରୋଷର ଶୀକାର ହୋଇଛନ୍ତି ଏହି ସରକାରୀ ବାବୁ । ଠେଲାପେଲା ଗାଳିଗୁଲଜ ସହିତ ତାଲା ମାରି ଅଟକ ରଖିବାକୁ ବାଧ୍ୟ ହୋଇଥିଲେ । ଏମିତିକି ଅଧିକାରୀଙ୍କ ଚାରି ଚକିଆ ଗାଡ଼ିର ଚକରୁ ପମ୍ପ ଖୋଲିଦେଇଥିଲେ ଉତେକ୍ତ ଲୋକେ । ଶେଷରେ ପୁଲିସ ପହଂଚି ଅଧିକାରୀଙ୍କୁ ମୁକୁଳାଇଥିଲେ । ଏଭଳି ଘଟଣା ଘଟିଛି ରାଜକନିକା ବ୍ଲକ୍ ନମତରା ଗ୍ରାମ ପଂଚାୟତରେ । ନୂତନ ଭାବେ ନିର୍ବାଚିତ ହୋଇଥିବା ମହିଳା ସରପଂଚ କମଳିନୀ ଜେନାଙ୍କୁ ଆଜିକାଲିି କହି ଦାୟିତ୍ୱ ଦେବାକୁ ପଛଘୁଞ୍ଛା ଦେଉଥିଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଅଶୋକ କୁମାର ପ୍ରଧାନ । ଏମିତିକି ଛଅଦିନ ହେବ ଦାୟିତ୍ୱ ଦେବାକୁ ପଂଚାୟତ ଅଧିକାରୀ ସମୟ ଦେଇପାରୁନଥିଲେ । ନୂଆ ଦାୟିତ୍ୱ ନେଇ ପଂଚାୟତର କାର୍ଯ୍ୟ ସଂପାଦନା କରିବାକୁ ସରପଂଚ ଚାହିଁ ବସିଥିବା ବେଳେ ପଂଚାୟତ ଅଧିକାରୀଙ୍କ ଏଭଳି ଘଟଣା ଅଧିକ ସନ୍ଦେହ ସୃଷ୍ଟି କରିଥିଲା । ଗତ ୧୦ ତାରିଖ ଠାରୁ ସରପଂଚ ମାନେ ନିଜ ନିଜ ପଂଚାୟତରେ ଦାୟିତ୍ୱ ନେଉଛନ୍ତି । ବୁଧବାର ଦିନ ୧୦ଟାରେ ସରପଂଚଙ୍କୁ ଦାୟିତ୍ୱ ଦେବାକୁ କହିଥିଲେ ପଂଚାୟତ ଅଧିକାରୀ । ହେଲେ ନୂତନ ସରପଂଚ ପଂଚାୟତ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ବସିରହିଥିଲେ ମଧ୍ୟ ପଂଚାୟତ ଅଧିକାରୀ ଆସିନଥିଲେ । ଏହି କାରଣକୁ ନେଇ ସରପଂଚ ରାଜକନିକା ବିଡ଼ିଓଙ୍କୁ ଅବଗତ କରାଇଥିଲେ । ବିଡ଼ିଓଙ୍କ ତାଗିଦା ପରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦିନ ୩ଟାରେ ପଂଚାୟତ କାର୍ଯ୍ୟାଳୟରେ ପହଂଚି ଥିଲେ । ପୂର୍ବରୁ ଅପେକ୍ଷା କରିଥିବା ସରପଂଚ ଶ୍ରୀମତୀ ଜେନା ଦାୟିତ୍ୱ ନେବା ସମୟରେ ଆବଶ୍ୟକୀୟ କ୍ୟାସ୍ ବୁକ୍ ଦେଖାଇପାରିନଥିଲେ ପଂଚାୟତ ଅଧିକାରୀ । ଯେଉଁ କାରଣରୁ ଲୋକେ ଉତ୍ତେଜିତ ହୋଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଠେଲାପେଲା କରିଥିଲେ । ପଂଚାୟତ କାର୍ଯ୍ୟାଳୟରେ ଅନେକ ସରକାରୀ ଯୋଜନାର କ୍ୟାସ୍ ବୁକ୍ ନଥିବାର ଜଣାପଡ଼ିଥିଲା । ଏହା ସହିତ ଏହି ପଂଚାୟତରେ ଦୁର୍ନୀତି ହୋଇଥିବାର ଲୋକେ ଅଭିଯୋଗ କରିଥିଲେ । ପଂଚାୟତର ଅନେକ କାଗଜପତ୍ର ନଥିବାରୁ ଲୋକମାନଙ୍କ ଆକ୍ରୋଶର ଶୀକାର ହୋଇଥିଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) । ଏହି କାରଣରୁ ଲୋକମାନେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଏକ ଘଂଟା ଧରି ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ । ଏହା ପରେ ଉତ୍ତକ୍ତ ଲୋକେ ପଂଚାୟତ ଅଧିକାରୀଙ୍କ କାରର ଚକରୁ ପମ୍ପ ଖୋଲିଦେଇଥିଲେ । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଂଚି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମୁକୁଳାଥିଲେ । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଆଠଦିନ ମଧ୍ୟରେ ପଂଚାୟତର ସମସ୍ତ କାଗଜପତ୍ର ଦେବାକୁ ସର୍ବ ସମ୍ମୁଖରେ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହି ଘଟଣାପରେ ନୂତନ ସରପଂଚ ପଂଚାୟତର ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଘଟଣା ସଂପର୍କରେ ସରପଂଚ ଶ୍ରୀମତୀ ଜେନା କହିଛନ୍ତିଯେ, ପଂଚାୟତର କୌଣସି କାଗଜପତ୍ର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇପାରିନଥିବାରୁ ଏଭଳି ଘଟଣା ଘଟିଗଲା । ପ୍ରକାଶଥାଉକି ଶ୍ରୀପ୍ରଧାନ ରାଜକନିକା ବ୍ଲକ୍ ନମତରା ସହିତ ସିହୋପଡ଼ା ଏବଂ ଓଳାଭର ଗ୍ରାମ ପଂଚାୟତର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟତୁଲାଉଛନ୍ତି । ଏହି ଘଟଣା ସଂପର୍କରେ ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତିଯେ, ଏଭଳି ଘଟଣା ସଂପର୍କରେ ମୁଁ କିଛି ଜାଣିନାହିଁ । ସଂପୃକ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣାରେ ଦାବି ହେଉଛି ।