ପୁରୀ ,୧୮।୨: ନିର୍ବାଚନ ଦାୟିତ୍ବରେ ଅବହେଳା ନିମନ୍ତେ ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ କଣାସ ବ୍ଲକର କଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସେକ୍ ନ୍ୟାମତୁଲ୍ଲା ଏବଂ ଗୋପ ତହସିଲର ଆରଆଇ ଜଗନ୍ନାଥ ବିଶ୍ବାଳ । ନିଲମ୍ବନ ସମୟରେ ଶ୍ରୀ ନ୍ୟାମତୁଲ୍ଲାଙ୍କ ମୁଖ୍ୟ କାର୍ଯ୍ୟାଳୟ କଣାସ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଶ୍ରୀ ବିଶ୍ବାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ଗୋପ ତହସିଲ ରଖାଯାଇଛି। ବିନା ଅନୁମତିରେ ସେମାନେ ମୁଖ୍ୟ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି। ନିମାପଡା ବିଡିଓଙ୍କ ସୁପାରିଶକୁ ଭିତ୍ତିକରି ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଛନ୍ତି ଏବଂ ତୁରନ୍ତ ସେମାନଙ୍କୁ ନିଲମ୍ବନ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗାଡି ମୁତୟନରେ ଅବହେଳା କରିଥିବାରୁ ୧୪ଜଣ ଗାଡି ମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ଅନୁରୋଧ ପରେ ମଧ୍ୟ ସଂପୃକ୍ତ ମାଲିକମାନେ ଗାଡି ମୁତୟନ ନକରିବାରୁ ପୁରୀ ଜିଲ୍ଲାପାଳ ଜନ ପ୍ରତିନିଧି ଆଇନ-୧୯୫୧ର ଧାରା ୧୬୭ ଏବଂ ଓଡିଶା ଓମିନ ବସ୍ ଆଇନ ୧୯୮୪ର ଧାରା ୯ ଅନୁଯାୟୀ ପରୱାନା ଜାରି କରିଛନ୍ତି ।