Home ତାଜା ଖବର ଯୁକ୍ତଦୁଇ ଶେଷବର୍ଷ ଅଫ ଲାଇନ ପରୀକ୍ଷା ବାତିଲ ଦାବିରେ ରାସ୍ତା ଅବରୋଧ

ଯୁକ୍ତଦୁଇ ଶେଷବର୍ଷ ଅଫ ଲାଇନ ପରୀକ୍ଷା ବାତିଲ ଦାବିରେ ରାସ୍ତା ଅବରୋଧ

ଯୁକ୍ତଦୁଇ ଶେଷବର୍ଷ ଅଫ ଲାଇନ ପରୀକ୍ଷା ବାତିଲ ଦାବିରେ ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା,୩ା୨: କେନ୍ଦ୍ରାପଡା ଜିଲ୍ଲାର ଯୁକ୍ତଦୁଇ ସ୍କୁଲର ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଗୁରୁବାର ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି । +୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଖିଳ ଓଡିଶା ଛାତ୍ର ସଂଗଠନ ନେତୃତ୍ୱରେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯୁକ୍ତଦୁଇ ଶେଷ ବର୍ଷର ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷା ବାତିଲ କରିବା ଦାବିରେ ଏହି ଆନ୍ଦୋଳନ ଚାଲିଛି । ପ୍ରଥମ ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଦ୍ୱିତୀୟ ବର୍ଷରେ ମାତ୍ର ୨ମାସ ଅନଲାଇନରେ ପାଠ ପଢାଯାଇଥିବା ଯୋଗୁଁ ଗରିବ ଛାତ୍ରଛାତ୍ରୀମାନେ ଆଣ୍ଡ୍ରୋଏଡ ମୋବାଇଲର ଅଭାବ ସାଙ୍ଗକୁ ପ୍ରତିମାସରେ ରିଚାର୍ଯ କରିବା ପାଇଁ ସମସ୍ୟା ଯୋଗୁଁ ସେହି ପାଠ ପଢିପାରିନଥିବା ଅଭିଯୋଗ କରିଛନ୍ତି । ଏହି କାରଣରୁ ସବୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରେ ପାଠପଢିବା ସମ୍ଭବ ହୋଇପାରି ନାହିଁ । ମାତ୍ର ୨ମାସ ଅନଲାଇନ ମାଧ୍ୟମରେ ପାଠ ପଢାଇ କିପରି ଦୁଇବର୍ଷର ପାଠ୍ୟକ୍ରମକୁ ନେଇ ଦୁଇବର୍ଷର ପରୀକ୍ଷା ଦେବେ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ଗତ ଜାନୁୟାରୀମାସ ୨୮ ତାରିଖରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ଦାବିରେ କଟକ- ଚାନ୍ଦବାଲି ରାସ୍ତାକୁ କେନ୍ଦ୍ରାପଡା କଲେଜ ସମ୍ମୁଖରେ ଅବରୋଧ କରିବା ସହ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ପୁନର୍ବାର ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିବା କହିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଅଫ୍ ଲାଇନ ପରୀକ୍ଷାକୁ ବାତିଲ କରାଯିବା ଦାବିରେ ଏଭଳି ଭାବରେ ବାରମ୍ବାର କଟକ- ଚାନ୍ଦବାଲି ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ବନ୍ଦ କରାଯିବା ଦ୍ୱାରା ବହୁ ଗୁରୁତର କାର୍ଯ୍ୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଅଟକି ରହିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ସୁମନ୍ତ କିଷାନ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାସ୍ତା ରୋକ ସମ୍ପର୍କରେ ପୂର୍ବରୁ ପୋଲିସକୁ କୈାଣସି ସୂଚନା ଦିଆଯାଇନଥିଲା । ଏହାସହ ରାସ୍ତା ଅବରୋଧ କରି ସାଧାରଣ ଲୋକଙ୍କ ଜୀବନଯାପନକୁ ବାଧାପ୍ରାପ୍ତ କରିବା ଏକ ଆଇନ ବିରୋଧୀ କାର୍ଯ୍ୟ । ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି । ଏହ ଭଳି କାର୍ଯ୍ୟ ପାଇଁ ଯେଉଁମାନେ ଉସକାଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି