ଲଣ୍ଡନରେ ନୱାଜ ସରିଫଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୦୩/୦୪: ଲଣ୍ଡନ୍‌ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ଙ୍କୁ ଆକ୍ରମଣ କରାଯାଇଛି |ପାକିସ୍ତାନରେ ଚାଲିଥିବା ରାଜନୈତି ଅସ୍ଥିରତା ଯୋଗୁ ଲଣ୍ଡନରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରେ ଆକ୍ରମଣ ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ଜଣେ ସମର୍ଥକ ନୱାଜ ସରିଫ୍‌ଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ସରିଫଙ୍କ ସୁରକ୍ଷାକର୍ମୀ ଆହତ ହୋଇଥିବା ନେଇ ପାକିସ୍ତାନୀ ସାମ୍ବାଦିକ ଅହମଦ ନୂରାନୀ ସୂଚନା ଦେଇଛନ୍ତି। ନୂରାନୀ ଟ୍ୱିଟ୍ କରି କହିଛନ୍ତି ଯେ ନୱାଜ ସରିଫଙ୍କୁ ପିଟିଆଇ(ପାକିସ୍ତାନ ତେହରୀକ-ଇ-ଇନସାଫ)ର ଜଣେ ସମର୍ଥକ ଆକ୍ରମଣ କରିଛନ୍ତି। ଏଥିରେ ସରିଫଙ୍କ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ପାକ ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ହେବ। ହେଲେ ତା ପୂର୍ବରୁ ନୱାଜଙ୍କ ଉପରେ ଆକ୍ରମଣ କରିଛନ୍ତି ପିଟିଆଇ କର୍ମକର୍ତ୍ତା। ଯଦି ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ହେଲା ତେବେ ନୱାଜ ସରିଫଙ୍କ ଭାଇ ତଥା ପାକିସ୍ତାନ ମୁସ୍ଲିମ ଲିଗ୍‌(ଏନ୍‌)ର ନେତା ସେହବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ବିକଳ୍ପ ହେବେ। ଏଥିପାଇଁ ସରଫି ପରିବାର ବିରୋଧରେ ପିଟିଆଇର ଅସନ୍ତୋଷ ରହିଛି। ନୱାଜ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଝିଅ ମରିୟମ୍‌ କହିଛନ୍ତି ଯେ, ହିଂସାକାଣ୍ଡ ସୃଷ୍ଟି କରୁଥିବା ଶାସକ ଦଳର କର୍ମୀମାନଙ୍କୁ ଜେଲ୍‌ ଦଣ୍ଡାଦେଶ ଦେବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ହିଂସାକାଣ୍ଡ ପାଇଁ ଉସ୍‌କାଉଥିବା ସ୍ବଂୟ ଇମ୍ରାନ୍‌ ଖାଁଙ୍କୁ ମଧ୍ୟ ବୁକ୍‌ କରାଯିବା ଆବଶ୍ୟକ।