Home ତାଜା ଖବର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ସାହି ଆଖଡା ମୁରବିଙ୍କ ସହ ଆଲୋଚନା

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ସାହି ଆଖଡା ମୁରବିଙ୍କ ସହ ଆଲୋଚନା

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ସାହି ଆଖଡା ମୁରବିଙ୍କ ସହ ଆଲୋଚନା

ପୁରୀ,୧୩/୦୩: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ୮ ସାହି ଆଖଡାର ମୁରବି ମାନଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସଂପର୍କରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀରେ ଅନୁଷ୍ଠିତ ହୋଇଛି । ଉକ୍ତ ପ୍ରକଳ୍ପର ଆବଶ୍ୟକତା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯିବ । ଭକ୍ତ ମାନଙ୍କ ସେବା ଓ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବା ସହ ସମସ୍ତଙ୍କ ସହଯୋଗରେ ଏହାର ସୁଫଳ ସୁଦୂର ପ୍ରସାରି ହେବ । ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ସାଧାରଣ ସୁବିଧା ଉପଲବ୍ଧ କରାଇବା, ଶୌଚାଳୟ, ଆଶ୍ରୟସ୍ଥଳୀ, ପୋଲିସ କଣ୍ଟ୍ରୋଲ ରୁମ, ସୂଚନା ଓ ଆଶୁ ଚିକିତ୍ସା କେନ୍ଦ୍ର, ଜୋତା ଓ ସାମଗ୍ରୀ ରଖିବା ସ୍ଥାନ, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ଯୋଗାଣ ଆଦି ବ୍ୟବସ୍ଥା ରହିବ ।

ଏଥିସହ ଉକ୍ତ ପ୍ରକଳ୍ପ ପାଇଁ ମନ୍ଦିର ଓ ସ୍ଥାନୀୟ ପର୍ବପର୍ବାଣି ଏବଂ ନୀତିକାନ୍ତି ଯେପରି ବ୍ୟାହତ ନହୁଏ ଏଥିପ୍ରତି ଧ୍ୟାନ ଦିଆଯିବ । ଭଜନ ମଣ୍ତପ ଓ ଭଷାଣି ଯାତ ପାଇଁ ସ୍ଥାନ ନିମନ୍ତେ ବ୍ୟବସ୍ଥା ରହିବ । ଅଧିଗ୍ରହଣ ହୋଇଥିବା ଜମିର ଅଧିକାଂଶ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଉ ନାହିଁ ଏବଂ କୌଣସି ନିର୍ମାଣ ମେଘନାଦ ପାଚେରୀ ଠାରୁ ଉଚ୍ଚ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଉକ୍ତ ବୈଠକରେ ଉପସ୍ଥିତ ମୁରବି ମାନେ ପ୍ରକଳ୍ପ ସଂପର୍କରେ ଜାଣି ଖୁସିବ୍ୟକ୍ତ କରିବା ସହ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପକୁ ସଂକ୍ରାନ୍ତୀୟ ସଂଶୟ ଏହି ବୈଠକ ପରେ ଦୂର ହୋଇଥିବା ଏବଂ ଏହାଦ୍ବାରା ଶ୍ରଦ୍ଧାଳୁମାନଙ୍କୁ ଉତ୍ତମ ସେବା ଉପଲବ୍ଧ ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏଥିସହ ମନ୍ଦିରର ଚାରି ଦ୍ବାରରେ ଉକ୍ତ ପ୍ରକଳ୍ପ ସଂପର୍କରେ ସମସ୍ତ ତଥ୍ୟ, ଫଟୋ, ଭିଡିଓ ଓ ଅଡିଓ ମାଧ୍ୟମରେ ପ୍ରଚାର କରିବାକୁ ମୁରବି ମାନେ ପ୍ରସ୍ଥାବ ଦେଇଥିଲେ । ଉକ୍ତ ପ୍ରକଳ୍ପ ସଂପର୍କରେ ସହରର ବିଭିନ୍ନ ଅନୁଷ୍ଠାନକୁ ଅବଗତ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏଥିସହ ସମସ୍ତ ଆଖଡା ବୁଲି ଦେଖି ରକ୍ଷଣାବେକ୍ଷଣ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ମୁରବି ମାନଙ୍କ ପ୍ରସ୍ଥାବକୁ ଜିଲ୍ଲାପାଳ ଗ୍ରହଣ କରିବା ସମସ୍ତ ସହଯୋଗ ଯୋଗାଇ ଦେବାକୁ କହିଥିଲେ । ଉକ୍ତ ବୈଠକରେ ୮ ସାହି ଆଖଡାର ପ୍ରମୁଖ ମୁରବି ମାନେ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।