୨ଟା ୪୫ରେ ଭୁବନେଶ୍ଵରରେ ପହଞ୍ଚିବେ ରାଷ୍ଟ୍ରପତି

ଭୁବନେଶ୍ଵର,୧୯/୦୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧୨ଟା ୨୫ରେ ସେ ଦିଲ୍ଲୀରୁ ବାହାରିବେ। ଅପରାହ୍ଣ ୨ଟା ୪୫ରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ ଓ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ରହିବେ।
ଏହାପରେ ୨.୫୫ ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ। ତାଳବଣିଆ ହେଲିପ୍ୟାଡ୍‌ରେ ୩.୨୫ ମିନିଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର କାରକେଡରେ ପୁରୀ ରାଜଭବନରେ ପହଞ୍ଚିବେ। ତାଙ୍କ ରହଣି ସମୟରେ ୩ଟି ଡାକ୍ତରୀ ଦଳ ସେବାରେ ନିୟୋଜିତ ରହିବେ। ଏହି ଦଳରେ ଶଲ୍ୟ, ନିଶ୍ଚେତକ, ଭେଷକ ବିଶେଷଜ୍ଞଙ୍କ ସହିତ ଜଣେ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଏବଂ ଲାବ୍‌ ଟେକ୍‌ନିସିଆନ ରହିବେ। ରାଷ୍ଟ୍ରପତିଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି ପୁରୀ ରାଜଭବନ ସମେତ ତାଳବଣିଆ ହେଲିପ୍ୟାଡ, ଶ୍ରୀମନ୍ଦିର, ଚୈତନ୍ୟ ଗୌଡୀୟମଠ ଏବଂ ଶରଧାବାଲିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୪୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୨୦୦ ପୁଲିସ ଅଧିକାରୀ, ସ୍ଵତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ଗୁଇନ୍ଦା କର୍ମଚାରୀଙ୍କୁ ସହରର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।ଖାଦ୍ୟ ଯାଞ୍ଚ ଦିଗରେ ଯେଉଁ ଦଳ ରହିଛି ସେହି ଦଳରେ ଖାଦ୍ୟ ନିରୀକ୍ଷକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ରହିବେ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି।
ଅପରାହ୍ଣ ୫ଟାରେ ଶ୍ରୀମନ୍ଦିରକୁ ଯାଇ ରାଷ୍ଟ୍ରପତି ଦମ୍ପତି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ। ମନ୍ଦିର ଭିତରେ ଶ୍ରୀ କୋବିନ୍ଦ ୪୫ମିନିଟ ରହିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଦିନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ। ପୁରୀ ରାଜ ଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ରବିବାର ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଶ୍ରୀ କୋବିନ୍ଦ ଯୋଗଦାନ କରିବେ। ଦିନ ୧୦ଟା ୩୫ରେ ଟାଉନ ଥାନା ନିକଟସ୍ଥ ଚୈତନ୍ୟ ଗୌଡୀୟ ମଠକୁ ଯାଇ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିବେ। ଏହାପରେ ରବିବାର ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ଉଦ୍‌ବୋଧନ ଦେବେ।
ଅପରାହ୍ଣ ୫ଟାରେ ଶ୍ରୀମନ୍ଦିରକୁ ଯିବେ। ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରାଯିବ। ଗର୍ଭଗୃହ ଭିତରକୁ ଯାଇ ଶ୍ରୀ କୋବିନ୍ଦ ଦାରୁବ୍ରହ୍ମଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ। ଏହାପରେ ସେ ମୁକ୍ତିମଣ୍ଡପ, ବିମଳା ମନ୍ଦିର ଏବଂ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିବେ। ରବିବାର ଦିନ ୧୨ଟା ୫ରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରୁ ହେଲିକପ୍ଟର ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯିବେ। ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।