ଆଜିଠୁ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର ,୧୬।୦୨: ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ ।  ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ । ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି ।  ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୨୨୫ ପ୍ଲାଟୁନ୍ ଫୋର୍ସ ଏବଂ ୩୭ ହଜାର ୨୪୫ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।ପାଟ୍ରୋଲିଂ ଟିମ୍ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମତଦାନ ଭିତରକୁ ମତଦାତାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ । ପୋଲିସ ସମ୍ବେଦନଶୀଳ ବୁଥ ଉପରେ ଅଧିକ ନଜର ରଖିଛି ।   ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁସାରେ  ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯାଉଛି । ମୋଟ ୬୭ ଲକ୍ଷ ୫୧ ହଜାର ମତଦାତା ଭୋଟ ଦେବେ ।  ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିବାକୁ ଯାଉଛନ୍ତି, ସେମାନେ ପ୍ରଥମେ ଭୋଟର ତାଲିକା ଦେଖୁଛନ୍ତି । ନିର୍ବାଚନ ପରିଚୟ ପତ୍ର ଦେଖାଇ ବୁଥ ଭିତରକୁ ପ୍ରବେଶ କରୁଛନ୍ତି । ଯଦି କୌଣସି କାରଣରୁ ଭୋଟ ପରିଚୟ ପତ୍ର ପାଖରେ ନାହିଁ, ତାହେଲେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଲାଭ କରିଥିବା ୧୩ଟି ଦସ୍ତାବିଜ (ପାନକାର୍ଡ, ଆଧାରକାର୍ଡ, ନରେଗା କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି) ମଧ୍ୟରୁ ଯେକୌଣସି ମଧ୍ୟରୁ ଗୋଟିଏ ନେଇଯାଇଯାଉଛନ୍ତି । ତେବେ ରାଜ୍ୟରେ କରୋନା ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇ ନଥିବାରୁ ମତଦାନ କେନ୍ଦ୍ରରେ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

-Advertisement-
-Advertisement-