ଆସନ୍ତା ଏପ୍ରିଲ୍‌ ୨୮ରୁ ଆରମ୍ଭ ହେବ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର, ୨୫/୦୩: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତା   ଏପ୍ରିଲ ୨୮ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇ ମେ ୨୮ ତାରିଖରେ ଶେଷ ହେବ । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି । ସେହିପରି ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପେପର ପରୀକ୍ଷା ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅଫଲାଇନ୍ ମୋଡ୍‌ରେ ସମସ୍ତ ପରୀକ୍ଷା ହେବ ।ଏନେଇ   ସିଏଚ୍‌ଏସ୍‌ଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି । ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ । ନଚେତ ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡରେ ୨୦% ଅନୁଯାୟୀ ମାର୍କିଂ ହେବ। ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ, ସେଇଟି ଚୂଡ଼ାନ୍ତ ହେବ । ଥିଓରି ପରୀକ୍ଷା ପୂର୍ବରୁ ଆସନ୍ତା ଏପ୍ରିଲ୍‌ ୪ରୁ ୧୨ ତାରିଖ ଭିତରେ କଲେଜରେ ପ୍ରାକ୍ଟିକାଲ୍‌ ପରୀକ୍ଷା କରାଯିବ । ପ୍ରାକ୍ଟିକାଲ୍‌ ପାଇଁ ଏକ୍ସଟରନାଲ୍‌ ଆସିବେନି । ସମ୍ପୃକ୍ତ କଲେଜର ଅଧ୍ୟାପକ ହିଁ ପ୍ରାକ୍ଟିକାଲ୍‌ କରାଇବେ । ଏଥିପାଇଁ ତୁରନ୍ତ ପିଲାଙ୍କର ଗ୍ରୁପ୍‌ କରିବାକୁ ସମସ୍ତ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଏହି ସମୟ ବାଦ୍‌ ଯଦି କୌଣସି କଲେଜରେ ପ୍ରାକ୍ଟିକାଲ୍‌ ପରୀକ୍ଷା କରାଗଲା, ପିଲାଙ୍କ ମାର୍କକୁ ସ୍ଥଗିତ ବା ବାତିଲ କରାଯିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

-Advertisement-
-Advertisement-