ଆରମ୍ଭ ହୋଇଛି ତୃତୀୟ ବିଶ୍ଵ ଯୁଦ୍ଧ -ରୁଷ୍‌ ଟେଲିଭିଜନ

କିଭ୍‍,୧୬।୦୪ : ୟୁକ୍ରେନ ଆକ୍ରମଣରେ ରୁଷ୍‍ର କ୍ଷେପଣାସ୍ତ୍ରବାହୀ ଯୁଦ୍ଧ ଜାହାଜ କୃଷ୍ଣ ସାଗରରେ ବୁଡିଯାଇଛି। ଏହି କାରଣରୁ ତୃତୀୟ ବିଶ୍ଵ ଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି ରୁଷ୍‌ ଟେଲିଭିଜନରେ କୁହାଯାଇଛି। ଉକ୍ତ ଟେଲିଭିଜନ ସଂସ୍ଥା ରୁଷିଆ ଉପସ୍ଥାପକ ଓଲ୍‌ଗା ସ୍କାବେୟେଭା କହିଛନ୍ତି, ପରିସ୍ଥିତି ଯେଉଁଭଳି ରୂପ ନେଇଛି, ତାହାକୁ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ବୋଲି କୁହାଯାଇପାରିବ। ସେ କହିଛନ୍ତି, ରୁଷ୍‌ ସମ୍ପ୍ରତି ନାଟୋ ବିରୋଧରେ ସିଧାସଳଖ ନହେଲେ ମଧ୍ୟ ନାଟୋର ସାମରିକ ଭିତ୍ତିଭୂମି ବିରୋଧରେ ଲଢେଇ କରୁଛି। ପରିସ୍ଥିତି ଆଦୋୖ ଭଲଆଡକୁ ଯାଉନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗୁରୁବାର ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ରୁଷ୍ ଯୁଦ୍ଧ ଜାହାଜ ମୋସ୍କଭାରେ ନିଆଁ ଲାଗିଯିବା ସହିତ ତାହାର କ୍ଷେପଣାସ୍ତ୍ର ବ୍ୟବସ୍ଥା ଅଚଳ ହୋଇଯାଇଥିଲା। ଯୁଦ୍ଧ ଜାହାଜର ବିଶେଷ କ୍ଷତି ଘଟିନାହିଁ ଏବଂ ତାହା ଭାସମାନ ଅବସ୍ଥାରେ ରହିଛି ବୋଲି ରୁଷ୍‍ ଗୁରୁବାର କହିଥିଲେ ମଧ୍ୟ ପରିଶେଷରେ ଉକ୍ତ ଜାହାଜ କୃଷ୍ଣ ସାଗରରେ ଜଳ ସମାଧି ନେଇଥିବା ଜଣାଯାଇଛି। ତେବେ ରୁଷ୍‍ କହିଛି ଯେ ଉକ୍ତ ସୋଭିଏତ୍‍ ସମୟରେ ଉକ୍ତ ଜାହାଜରେ ଥିବା ଅସ୍ତଶସ୍ତ୍ରରେ ବିସ୍ଫୋରଣ ଘଟିବା ପରେ ସେଥିରେ ଥିବା ୫୦୦ ସୈନ୍ୟ ଓ ସାମରିକ କର୍ମଚାରୀଙ୍କୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଥିଲା। ୟୁକ୍ରେନ୍‍ ପକ୍ଷରୁ ଉକ୍ତ ଜାହାଜ ଉପରେ ନେପଚୁନ୍‍ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିବା ଦାବି କରାଯାଉଥିବାବେଳେ ରୁଷ୍‍ ଏହାକୁ ଏପର୍ଯ୍ୟନ୍ତ ଅସ୍ୱୀକାର କରିଚାଲିଛି। ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି ଯେ ଧ୍ବଂସ ପାଇଯାଇଥିବା ରୁ​‌ଷ ଯୁଦ୍ଧ ଜାହାଜର କପ୍ତାନ ଆଣ୍ଟନ କୁପରିନ୍‌ଙ୍କର ମୃତ୍ୟୁ ଘଟିଛି। ଜାହାଜରେ ଦୁଇଟି ଆଣବିକ ଯୁଦ୍ଧାସ୍ତ୍ର ଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି। ଏହି ଘଟଣା ପରେ ଶୁକ୍ରବାର ପୂର୍ବାହ୍ଣରେ କିଭ୍‍ ସହରରେ ବଡଧରଣର ବିସ୍ଫୋରଣ ଓ ସାଇରନ୍‌ ଶବ୍ଦ ଶୁଣିବାକୁ ମିଳିଛି। ରୁଷ୍‍ ସୈନ୍ୟ ଚଳିତ ମାସ ପ୍ରଥମ ସପ୍ତାହରେ କିଭ୍‍ ଛାଡି ୟୁକ୍ରେନ୍‍ର ଦକ୍ଷିଣ ଓ ପୂର୍ବଭାଗରେ ଠୁଳ ହେବାରେ ଲାଗିଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବ୍ରାଏନସ୍କ ଅଞ୍ଚଳରେ ଥିବା କ୍ଲିମୋଭୋ ଗ୍ରାମରେ ୟୁକ୍ରେନ୍‍ ଆକ୍ରମଣରେ ଗୁରୁବାର ପ୍ରାୟ ୧୦୦ଟି ସାଧାରଣ ନାଗରିକଙ୍କ କୋଠାଘର ନଷ୍ଟ ହୋଇଯାଇଛି। କିଭ୍‌ରୁ ୟୁକ୍ରେନ ପୁଲିସ ୯୦୦ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର କରିଛି। ରୁଷ୍‌ ସୈନ୍ୟ ୟୁକ୍ରେନ୍‍ର ଚେର୍ଣ୍ଣିହିଭ୍‍ ଅଞ୍ଚଳରେ ୟୁକ୍ରେନ୍‍ର ଏକ ଏମ୍‍ଆଇ-୮ ହେଲିକପ୍ଟରକୁ ଆକ୍ରମଣ କରି ଖସାଇ ଦେଇଛନ୍ତି, ଯାହା ବ୍ରାଏନସ୍କ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ସାମିଲ ଥିଲା। ପଡୋଶୀ ବେଲଗୋରୋଡ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍‍ ପକ୍ଷରୁ ଗୁଳିଗୋଳା ଆକ୍ରମଣ ହୋଇଥିବା କୁହାଯାଇଛି। ଋୁଷ୍‍-ୟୁକ୍ରେନ ଯୁଦ୍ଧ ୫୧ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରୁଷ୍‍ ସୈନ୍ୟମାନେ ମାରିଉପୋଲ୍‍ ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଛନ୍ତି। ଏହି ବନ୍ଦର ସହରକୁ ଦଖଲ କରିବା ରୁଷ୍‍ ସେନାର ଅନ୍ୟତମ ମୂଳ ଲକ୍ଷ୍ୟ ହୋଇଛି। ତେବେ ୟୁକ୍ରେନ୍‍ ସୈନ୍ୟମାନେ ଏବେ ମଧ୍ୟ ମାରିଉପୋଲ୍‍କୁ ନିଜ ଦଖଲରେ ରଖିପାରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍‍ ଜେଲେନସ୍କି ଏଥିପାଇଁ ଦେଶର ସେନାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୫୧ ଦିନ ଧରି ୟୁକ୍ରେନ୍‍ ସେନା ରୁଷ୍‍ର ସଫଳତାର ସହିତ ମୁକାବିଲା କରିଆସୁଛି, ଯେତେବେଳେ ରୁଷ୍‍ ୟୁକ୍ରେନ ଦଖଲ ପାଇଁ ସର୍ବାଧିକ ୫ଦିନ ସମୟ ଲାଗିବ ବୋଲି ଭାବିଥିଲା। ଏହା କୋଟି କୋଟି ୟୁକ୍ରେନବାସୀଙ୍କର ବିଜୟ ବୋଲି ଏକ ଭିଡିଓ ବାର୍ତ୍ତାରେ ଜେଲେନ୍‍ସ୍କି କହିଛନ୍ତି।

-Advertisement-
-Advertisement-

Leave a Reply