ପୁରୀ,୧୧/୦୩: ଶ୍ରୀସେତୁ ପ୍ରକଳ୍ପ ବାବଦ କ୍ଷତିଗ୍ରସ୍ତ ହେଉଥିବା ପରିବାରକୁ କ୍ଷତିପୂରଣ ବାବଦରେ ୩ କୋଟି ୭୯ ଲକ୍ଷ ୪୮ ହଜାର ୧୭ ଟଙ୍କା ପ୍ରଦାନ କରାଯିବା ପ୍ରଶାସନିକ ନିଷ୍ପତ୍ତିକୁ ଆରଡିସି ମଞ୍ଜୁର କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ୨୬୦ ଜଣ କୃଷି ଶ୍ରମିକଙ୍କୁ ୭୫ ହଜାର ୪୦୦ ଟଙ୍କା ଲେଖାଏଁ କରି ମୋଟ ୧ କୋଟି ୯୬ ଲକ୍ଷ ୪ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ଦୋକାନ କରିଥିବା ୧୧ ଜଣକ୍ଷୁଦ୍ର ବ୍ୟବସାୟୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ୨ ଲକ୍ଷ ୭୫ ହଜାର ଟଙ୍କା ଦିଆଯିବ । ସେହିପରି ଘର ଦଖଲ ବାବଦ ସହାୟତା ୧୯ ଜଣ ପରିବାରଙ୍କୁ ୮୩ ଲକ୍ଷ ୭୯ ହଜାର ୧୭ ଟଙ୍କା, ଘର କରିବା ବାବଦ ସହାୟତା ୩୦ ଜଣଙ୍କୁ ୨ ଲକ୍ଷ ୭୩ ହଜାର ଟଙ୍କା ଲେଖାଏଁ କରି ମୋଟ ୮୧ ଲକ୍ଷ ୯୦ ହଜାର ଟଙ୍କା, ସ୍ଥାନାନ୍ତର ଭତ୍ତା ୫୦ ହଜାର ଟଙ୍କା ଲେଖାଏଁ କରି ୩୦ ପରିବାରଙ୍କୁ ମୋଟ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଗତ ଡିସେମ୍ବର ମାସ ୨୭ ତାରିଖରେ ବସିଥିବା ଜନଶୁଣାଣି ମତାମତ ଓ ଜମି ଅଧିଗ୍ରହଣ ପୁନର୍ବାସ ଓ ପୁନଃଥଇଥାନ ଚିଠାକୁ ଦୃଷ୍ଟିରେ ରଖି ଏହି ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱରସାହି-୧ ମୌଜାର ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି ।